ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଅନେକ ସ୍ଥାନରେ ଚାଲିଛି କରୋନା ଟିକାକରଣ। ଆଜି ବୟସ୍କ ଲୋକଙ୍କୁ ଦିଆଯାଉଛି କରୋନା ଟିକା।ତେବେ  ବାଲେଶ୍ୱରରେ ମଧ୍ୟ ଚାଲିଛି ବୟସ୍କଙ୍କ ଟିକାକରଣ। ଷାଠିଏ ବର୍ଷରୁ ଅଧିକ ବ୍ୟକ୍ତି ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ନେଇ ପଂଜୀକରଣ ମଧ୍ୟ ଚାଲିଛି। ବାଲେଶ୍ୱର ଜିଲ୍ଲାର ମେଡିକାଲ କଲେଜ ପରିସରରେ ଟୀକାକରଣ କେନ୍ଦ୍ର କରାଯିବା ସହ ସହରାଞ୍ଚଳରେ ତିନିଟି ଏବଂ ଘରୋଇ ହସ୍ପିଟାଲରେ ଗୋଟିଏ କେନ୍ଦ୍ର କରାଯାଇଛି। ଆଜି ୬ଶହ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ଥିବା କହିଛନ୍ତି ସିଡିଏମ୍ଓ। ସେପଟେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମେଡିକାଲ କଲେଜ ଯାଇ ଟିକାକରଣ ପରିଚାଳନା କିପରି ଚାଲିଛି ଅନୁଧ୍ୟାନ ମଧ୍ୟ କରିଛନ୍ତି। ଟିକାକରଣରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

ପଂଜୀକରଣ ଲାଗି ବୟସ୍କଙ୍କୁ କିଛି ତଥ୍ୟ ପ୍ରଦାନ କରିବାକୁ ହେବ ପଂଜୀକରଣ ଲାଗି ମୋବାଇଲ ଫୋନ ନମ୍ବର ଦେବାକୁ ହେବ ବୋଲି ସୂଚନା ରହିଛି। ଏହାସହ ପରିଚୟର ତଥ୍ୟ ଦେବାକୁ ହେବ। ଭୋଟର କାର୍ଡ କିମ୍ବା ଆଧାର କାର୍ଡର ସୂଚନା ଦେବାକୁ ହେବ। ପରିଚୟପତ୍ରରେ ଥିବା ନମ୍ବର ଲେଖିବାକୁ ବି ପଡ଼ିବ। ଏହାସହ ଟିକା ନେବାକୁ ଥିବା ଲୋକଙ୍କ ନାଁ ତାଙ୍କର ଜନ୍ମ ତାରିଖ, ଲିଙ୍ଗ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ପଂଜୀକୃତ ଡାକ୍ତରଙ୍କ ପାଖରୁ କୋମର୍ବିଡିଟି ସାର୍ଟିଫିକେଟ ନେଇଯିବାକୁ ହେବ ବୋଲି ସୂଚନା ରହିଛି।

ସେପଟେ କୋରାପୁଟ ଜିଲ୍ଲାର ୨୫ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ଼ ଟୀକାକରଣ ଆରମ୍ଭ ମଧ୍ୟ ହୋଇଛି। ଜିଲ୍ଲାପାଳ ଅବଦଲ ଅଖତର ଏହାର ଶୁଭାରମ୍ଭ କରିଥିଲେ। ପ୍ରଥମ ଦିନରେ ୧୦୦ଜଣଙ୍କୁ ଟିକାକରଣ କରାଯିବ। କୋଟିଆ ଅଞ୍ଚଳରେ ଟିକାକରଣ ଚାଲିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ। କରୋନାର ଦ୍ୱିତୀୟ ଷ୍ଟ୍ରେନ ଆସିବା ପରେ କୋରପୁଟ୍ ଜିଲ୍ଲାରେ ଲୋକଙ୍କୁ ସଚେତନ କରାଯାଇଛି।

ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କରୋନା ଟିକାକରଣ ଚାଲିଛି। ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲରେ ମଧ୍ୟ ଟିକା ନେଉଛନ୍ତି ଲୋକ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ ଟିକା ନେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଛନ୍ତି । ବିଧାନସଭା ଚିକିତ୍ସାଳୟରେ ସେ ଏହି ଟିକା ନେଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀ ସ୍ଥିତ ଏମ୍ସରେ କରୋନା ଟିକା କୋଭାକ୍ସିନ୍‌ର ପ୍ରଥମ ଡୋଜ୍ ନେଇଛନ୍ତି। ପୁଡୁଚେରୀର ସିଷ୍ଟର ପି. ନିଭେଦା ପ୍ରଧାନମନ୍ତ୍ରୀଙ୍କୁ ଟିକା ଦେଇଛନ୍ତି। ଟିକା ନେବା ବେଳର ଏକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

You might also like