କୋଭିସିଲ୍ଡ ପରେ କମିଲା କୋଭାକ୍ସିନ୍ ଟିକାର ଦର..

ନୂଆଦିଲ୍ଲୀ: କୋଭିସିଲ୍ଡ ପରେ କମିଲା କୋଭାକ୍ସିନ୍ ଟିକାର ଦର। ୬ ଶହ ଟଙ୍କା ବଦଳରେ ୪ ଶହ ଟଙ୍କାକୁ ହ୍ରାସ ପାଇଲା କୋଭାକ୍ସିନ ଟିକାର ଦାମ। ଏଣିକି ରାଜ୍ୟ ସରକାରଙ୍କୁ ଡୋଜ୍ ପ୍ରତି ୬ ଶହ ବଦଳରେ ୪ ଶହ ଟଙ୍କାରେ ଯୋଗାଇ ଦେବ ଟିକା ପ୍ରସ୍ତୁତକାରୀ ଭାରତ ବାୟୋଟେକ୍ କମ୍ପାନୀ। ତେବେ କମ୍ପାନୀ କେନ୍ଦ୍ର ସରକାରଙ୍କ ଲାଗି ଟିକାର ଦର ୧୫୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ଘରୋଇ ହସ୍ପିଟାଲଗୁଡ଼ିକୁ ଡୋଜ୍ ପ୍ରତି ୧୨୦୦ ଟଙ୍କାରେ ଯୋଗାଇ ଦେଉଛି।

ଏହାପୂର୍ବରୁ ବୁଧବାର ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦାମ ରାଜ୍ୟ ସରକାରମାନଙ୍କ ପାଇଁ ୧୦୦ ଟଙ୍କା କମାଯାଇଥିଲା। ଦେଶରେ ମେ’ ୧ ତାରିଖରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣା ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ବ୍ୟାପକ ଟିକାର ଆବଶ୍ୟକ ଥିବାରୁ ନିକଟରେ ଟିକାର ଦାମ୍ କମାଇବାକୁ ଉଭୟ କମ୍ପାନୀକୁ ଅନୁରୋଧ କରିଥିଲେ କେନ୍ଦ୍ର ସରକାର।  ସେହି ଅନୁସାରେ ଭାରତରେ ବହୁଳ ଟିକାକରଣ କରାଯାଉଥିବା ଉଭୟ ସେରମ୍ ଓ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଟିକାର ଦାମ୍ କମାଇଛନ୍ତି ଦୁଇ କମ୍ପାନୀ। 

ଅନ୍ୟପକ୍ଷରେ ସେରମ କୋଭିସିଲ୍ଡ ଟିକାର ଦାମ ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାଙ୍କ ପାଇଁ ଡୋଜ୍‌ ପିଛା ଯଥାକ୍ରମେ ୪୦୦ ଓ ୬୦୦ ଟଙ୍କା ରଖିଥିଲା। ହେଲେ ଗତକାଲି ସଂସ୍ଥା ଟିକାର ଡୋଜ୍‌ ପିଛା ଦାମ ୨୫ ପ୍ରତିଶତ କମାଇ ୩୦୦ ଟଙ୍କା କରିଥିଲା। ରାଜ୍ୟ ସରକାରମାନେ ୩୦୦ ଟଙ୍କା ଦେଇ ଟିକାର ଡୋଜ୍‌ କିଣିପାରିବେ। ତେବେ ଘରୋଇ ଡାକ୍ତରଖାନା ପାଇଁ ଦର ପୂର୍ବପରି ଅପରିବର୍ତ୍ତିତ ରହିଛି। ଅର୍ଥାତ୍ ଘରୋଇ ହସ୍ପିଟାଲ ମାନେ ଡୋଜ ପିଛା ୬୦୦ ଟଙ୍କାରେ କିଣିବେ।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କମ୍ପାନୀଠାରୁ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲଗୁଡ଼ିକ ଉତ୍ପାଦନର ୫୦% ଟିକା ସିଧାସଳଖ କିଣିପାରିବେ। ଭାରତ ବାୟୋଟେକ ଡୋଜ୍‌ ପିଛା କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ଟିକାର ଡୋଜ୍‌ ଯୋଗାଉଥିଲା। ଏହାକୁ କେନ୍ଦ୍ର ସରକାର ମାଗଣାରେ ଲୋକଙ୍କୁ ଦେଉଥିଲେ। ଏବେ ବି କମ୍ପାନୀ ୧୫୦ ଟଙ୍କାରେ କେନ୍ଦ୍ର ସରକାରଙ୍କୁ ଟିକା ଯୋଗଇ ଦେବ।

You might also like