ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ଥିରୁଅନନ୍ତପୁରମ୍‌: ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବାକୁ ଯାଉଛନ୍ତି ଜଣେ ଦିନ ମଜୁରିଆ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଦିନ ମଜୁରିଆ କେମିତି ଆୱାର୍ଡ ପାଇଲେ। ତାହା ହିଁ ବାସ୍ତବତା।

କେରଳ ଆଲାପୁଝାର ଅଶୋକାନ ଜଣକ ଘରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଥିଲେ। ଖବର ପାଇଲେ, ସେ କେରଳ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷର ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନର୍ ଆୱାର୍ଡ ପାଇବାକୁ ଯାଉଛନ୍ତି। ରାଜ୍ୟ ସରକାର ତାଙ୍କ ନାଁ ଘୋଷଣା କରିବା ପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଘରେ ପହଞ୍ଚି ଯାଇଥିଲେ। ସେ ଯାହା ଘରେ କାମ କରୁଥିଲେ , ସେଠି ଯାଇ ସମସ୍ତେ ପହଞ୍ଚି ଯାଇଥିଲେ। ସେଠାରେ ସେ ନିଜର ପ୍ରତିକ୍ରିୟା ଦେଇଥିଲେ।

କେରଳର ଏହି କଷ୍ଟ୍ୟୁମ୍ ଡିଜାଇନର୍ ଲକ୍‌ଡାଉନ୍‌ ସମୟରେ ଦିନ ମଜୁରିଆ ପାଲଟି ଯାଇଛନ୍ତି। ସିନେମା କାମ ବନ୍ଦ ହୋଇଯିବା ପରେ ପରିବାର ଚଳାଇବାକୁ ସେ ବୁଲି ବୁଲି ବିଲ୍ଡିଂରେ ପେଣ୍ଟିଂ କରୁଛନ୍ତି। ନୂଆ ନୂଆ ତିଆରି ହେଉଥିବା ବିଲ୍ଡିଂରେ ସେ ପେଣ୍ଟିଂ କାମ କରୁଛନ୍ତି। ସାତ ମାସ ହେଲା ସେ ଏହି କାମ କରୁଛନ୍ତି। କାମକୁ ନ ଗଲେ ପରିବାର ଚିନ୍ତା ତାଙ୍କୁ ମାଡ଼ି ପଡୁଛି। ସେ ଗୋଟିଏ ଦିନ ବି କାମ ବନ୍ଦ କରୁ ନାହାନ୍ତି।

ସିନେମା ଜଗତ ସହ ଜଡିତ ହୋଇ କାମ କରିବାର ୨୫ ବର୍ଷ ପରେ ସେ ଏହି ଆୱାର୍ଡ ପାଇବାକୁ ଯାଉଛନ୍ତି। କେରଳର ଆଦିବାସୀ ଲୋକଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘କେଞ୍ଜିରା’ ପାଇଁ ସେ ଏହି ଆୱାର୍ଡ ପାଇବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ମନୋଜ କାନା ଏହି ଚଳଚ୍ଚିତ୍ର କରିବାକୁ ୱେୟାନାଡରେ ଆଦିବାସୀ ଲୋକଙ୍କ ସହ କିଛିଦିନ ରହିଥିଲେ। ଏହି ଚଳଚ୍ଚିତ୍ର ପାଇଁ କଷ୍ଟ୍ୟୁମ ତିଆରି କରିବା ଏକ ବଡ ସମସ୍ୟା ଥିଲା। ପୂର୍ବ କାଳରେ ଆଦିବାସୀଙ୍କ ଚାଲିଚଳଣ ଓ ବିବାହ ପ୍ରଥାର ମଧ୍ୟ ସିନ୍‌ ଥିଲା। ତେଣୁ ବହୁ କଷ୍ଟରେ କଷ୍ଟ୍ୟୁମ ତିଆରି ହୋଇଥିଲା ବୋଲି ଅଶୋକାନ କହିଛନ୍ତି। ଏହି ଆୱାର୍ଡ ଘୋଷଣା ହେବା ପରେ ତାଙ୍କ ପଞ୍ଚାୟତ ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି।  ସେ ଏବେ ଦିନକୁ ପେଣ୍ଟିଂରୁ ୮ଶହ ଟଙ୍କା ପାଉଛନ୍ତି।

ସେ ଏହି ୨୫ ବର୍ଷ ଭିତରେ ଶହେରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି। ବେଳେ ବେଳେ ସେ ଛୋଟ ଛୋଟ ରୋଲ୍ ମଧ୍ୟ କରନ୍ତି। ସେ ଜଣେ ଅଭିନେତା ମଧ୍ୟ। ସେ   କହିଛନ୍ତି ଯେ, ସିନେମା ଶିଳ୍ପ ଧିରେ ଧିରେ ଖୋଲିଲାଣି। ମନୋଜ କାନା ଆସନ୍ତା ମାସରେ ପୁଣି ଏକ ଚଳଚ୍ଚିତ୍ରର ଶୁଭାରମ୍ଭ କରିବେ। ଆସନ୍ତା ମାସରେ ସେ ଦିନ ମଜୁରିଆରୁ ମୁକ୍ତି ପାଇବେ ଓ ତାଙ୍କ ପେସାକୁ ଫେରି ଯିବେ ବୋଲି ଜଣାପଡ଼ିଛି।

You might also like