ଦେଶରେ ଆଉ ୨ ସପ୍ତାହ ବଢ଼ିପାରେ ଲକ୍‌ଡାଉନ୍‌ ଅବଧି, ଖୁବଶୀଘ୍ର ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ଦେଶରେ ଆଉ ୨ ସପ୍ତାହ ବଢ଼ିପାରେ ଲକ୍‌ଡାଉନ୍‌ ଅବଧି। ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା ପରେ ଏଭଳି କିଛି  ସଙ୍କେତ ମିଳିଛି।

୪ ଘଣ୍ଟା ଧରି ଚାଲିଥିବା ଏହି ଭିଡିଓ କନଫରେନ୍ସରେ ଅଧିକାଂଶ ରାଜ୍ୟ ଲକ୍‌ଡାଉନ୍‌ ବୃଦ୍ଧି ସପକ୍ଷରେ ମତ ରଖିଥିଲେ। ମୁଖ୍ୟମନ୍ତ୍ରୀମାନେ ଦିନର ୨୪ ଘଣ୍ଟା ଭିତରେ ଯେକୌଣସି ସମୟରେ ତାଙ୍କ ସହ କଥା ହୋଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଉଭୟ ଜୀବନ ଓ ଅର୍ଥନୀତି ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।

ବର୍ତ୍ତମାନ ସ୍ଥିତିରେ କାନ୍ଧକୁ କାନ୍ଧ ମିଳାଇ କରୋନା ବିରୋଧରେ ଲଢ଼େଇ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ପୂର୍ବରୁ ପ୍ରଧାନମନ୍ତ୍ରୀ ‘ଜାନ୍ ହେ ତୋ ଜାହାନ୍ ହେ’ ଉପରେ ଗୁରୁତ୍ୱ ଦେଇଥିବା ବେଳେ ଆଜି କହିଛନ୍ତି ‘ଜାନ୍ ଭି, ଜାହାନ୍ ଭି’ ଅର୍ଥାତ ଜୀବନ ସହିତ ଅର୍ଥନୀତିକୁ ବି ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ଆଜିର ଏହି ଭିଡିଓ କନଫରେନ୍ସରେ ଓଡ଼ିଶା ସମେତ ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ସପକ୍ଷରେ ମତ ରଖିଥିଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଲକ୍‌ଡାଉନ୍‌ ଅବଧିକୁ ଏପ୍ରିଲ୍ ୩୦ ଯାଏ  ବଢ଼ାଇବାକୁ ଅନୁରୋଧ କରିଥିଲେ।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କେନ୍ଦ୍ର ସରକାର ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ଚିନ୍ତା କରୁଛନ୍ତି। ଖୁବଶୀଘ୍ର ଦେଶବାସୀଙ୍କୁ ସମ୍ବୋଧନ କରି ଏ ସଂପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର ସମ୍ଭାବନା ରହିଛି।

ପୂର୍ବରୁ ଓଡ଼ିଶା ଓ ପଞ୍ଜାବ ଏପ୍ରିଲ୍ ୩୦ ଯାଏ  ଲକ୍‌ଡାଉନ୍‌ ଅବଧି ଘୋଷଣା କରି ସାରିଛନ୍ତି।

ଆହୁରି ପଢ଼ନ୍ତୁ: “ଲକ୍‌ଡାଉନ୍‌ ଲାଗୁ ହୋଇନଥିଲେ ଦେଶରେ ୨ ଲକ୍ଷରୁ ଅଧିକ ପହଞ୍ଚି ଯାଇଥା’ନ୍ତା କରୋନା ଆକ୍ରାନ୍ତଙ୍କ ସଂଖ୍ୟା”

You might also like