କାଲି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ, ଲକଡାଉନକୁ ନେଇ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଆସନ୍ତାକାଲି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ। ମହାମାରୀ କରୋନାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ବଡ଼ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୫ରୁ ଦେଶରେ ୨୧ ଦିନିଆ ଲକଡାଉନ୍ କାର୍ଯ୍ୟକାରୀ ହେଉଛି।

ଆସନ୍ତାକାଲି ରାତି ୧୨ଟାରେ ଏହି ଅବଧି ଶେଷ ହେବ। କରୋନା ଏଯାଏ ନିୟନ୍ତ୍ରଣକୁ ଆସି ନ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଆଉ ୨ ସପ୍ତାହ ପାଇଁ ଲକଡାଉନ ଅବଧିକୁ ବୃଦ୍ଧି କରିପାରନ୍ତି।

ତେବେ ୨୧ ଦିନିଆ ଲକଡାଉନ ଅବଧି ଶେଷ ହେବା ପୂର୍ବରୁ ଓଡ଼ିଶା ସମେତ ଏକାଧିକ ରାଜ୍ୟ ଏହାକୁ ବୃଦ୍ଧି କରି ସାରିଛନ୍ତି। ଅନେକ ରାଜ୍ୟରେ ଏପ୍ରିଲ ୩୦ ଯାଏ ତାଲାବାନ୍ଦ ହେବ ବୋଲି ରାଜ୍ୟ  ସରକାରମାନେ ଘୋଷଣା କରି ସାରିଛନ୍ତି।

ଏବେ ମୋଦି ସାରା ଭାରତରେ ଏପ୍ରିଲ ୩୦ ନା ତା’ଠାରୁ ଅଧିକ ଦିନ ତାଲାବନ୍ଦ ଘୋଷଣା କରିବେ, ତା’ ଉପରେ ଏବେ ସମସ୍ତଙ୍କ ନଜର।

ନିକଟରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକଡାଉନ ଅବଧିକୁ ବୃଦ୍ଧି କରିବାକୁ ଦାବି କରିଥିଲେ। ତେଣୁ ମୋଦି ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଲକଡାଉନ ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରିପାରନ୍ତି। ଆସନ୍ତାକାଲି ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି ଆଜି ପିଏମଓ ପକ୍ଷରୁ ଟ୍ୱିଟ ଯୋଗେ ଘୋଷଣା କରାଯାଇଛି।

କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଞ୍ଚଳକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ କରିପାରନ୍ତି। କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି କେନ୍ଦ୍ର ସରକାର ଏଭଳି ଜୋନ୍ ତିଆରି କରିପାରନ୍ତି।

ସୂଚନା ଅନୁସାରେ, ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରୁ ଅଧିକ ଥିବ ସେହି ସ୍ଥାନକୁ ରେଡ୍ ଜୋନ ବୋଲି ଘୋଷଣା କରାଯାଇପାରେ। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।

ସେହିପରି ଯେଉଁଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରୁ କମ୍ ଥିବ ଏବଂ ସଂକ୍ରମଣ ଆଶଙ୍କା ବି କମ୍ ଥିବ ସେହି ସ୍ଥାନକୁ ଅରେଞ୍ଜ ଜୋନ୍ ବୋଲି ଘୋଷଣା ହୋଇପାରେ। ଏହି ଜୋନରେ ସୀମିତ ପରିବହନ ସେବା, ଚାଷ କାମ କରିବାକୁ ସରକାର ଅନୁମତି ଦେଇପାରନ୍ତି।

ଗ୍ରୀନ ଜୋନରେ ଅଳ୍ପ କିଛି କଟକଣା ରହିବା ସହିତ କରୋନା ସଂକ୍ରମଣକୁ ରୋକିବା ପାଇଁ ମୌଳିକ ନିୟମ ମାନିବାକୁ ପଡ଼ିବ ବୋଲି ସୂଚନା ରହିଛି।
You might also like