କାର, ବାଇକରେ ଆଣିପାରିବେ ଅତ୍ୟାବଶ୍ୟକୀୟ ଜିନିଷ, ହେଲେ ମାନିବାକୁ ପଡ଼ିବ ଏସବୁ…

ନୂଆଦିଲ୍ଲୀ: ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା ହେବାପରେ ଆଜି ଗାଇଡ ଲାଇନ୍ ଜାରି ହୋଇଛି। କରୋନା ମୁକାବିଲାକୁ ନେଇ କଟକଣା କଡାକଡି କରାଯାଇଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ମେ ୩ ଯାଏ  ଲକ୍‌ଡାଉନ ବୃଦ୍ଧି ନେଇ ସୂଚନା ଦେଇଥିଲେ। 

ଗାଇଡ ଲାଇନ୍ ଅନୁସାରେ, ଜରୁରୀ ସେବା ପାଇଁ ପ୍ରାଇଭେଟ ଗାଡ଼ି ଗୁଡିକ ପାଇଁ ନିୟମ କିଛି କୋହଳ କରାଯାଇଛି। ଅର୍ଥାତ ନୂଆ ଗାଇଡ ଲାଇନ୍ ଅନୁସାରେ, ଜରୁରୀ ସେବା ପାଇଁ ଏବେ ୪ ଚକିଆ ଯାନରେ ୨ ଜଣ ଓ ୨ ଚକିଆ ଯାନରେ କେବଳ ଜଣେ ବ୍ୟକ୍ତି ଯାତ୍ରା କରିପାରିବେ।

ତେବେ ୪ ଚକିଆ ଯାନ ପାଇଁ କିଛି ସର୍ତ୍ତ ରଖାଯାଇଛି। ଏଥିରେ ଗାଡ଼ିର ଡ୍ରାଇଭରଙ୍କ ବ୍ୟତୀତ ଅନ୍ୟ ଜଣେ ଗାଡ଼ିରେ ଯାତ୍ରା କରିପାରିବେ। ହେଲେ, ସେ ଗାଡ଼ିର ପଛ ସିଟରେ ବସିବେ। ଯଦି କେହି ଜରୁରୀ ସେବା  ବ୍ୟତୀତ ବିନା କାରଣରେ ରାସ୍ତା ଉପରେ ଗାଡ଼ି ଚଲାନ୍ତି ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଜି ଜାରି ହୋଇଥିବା ନୂଆ ଗାଇଡ ଲାଇନ୍ ଅନୁସାରେ, ପୂର୍ବଭଳି ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ରହିବ। ଟ୍ରେନ ଯୋଗେ ଯାତ୍ରୀ ପରିବହନ ମଧ୍ୟ ବନ୍ଦ ରହିବ। ବସରେ ଯାତ୍ରୀ ପରିବହନ ମନା ହୋଇଥିବା ବେଳେ ମେଟ୍ରୋ ରେଳ ସେବା ମଧ୍ୟ ବନ୍ଦ ରହିଛି।

ସେହିଭଳି ସବୁ ସିନେମା ହଲ୍, ମଲ୍, ଜିମ୍ନାସିୟମ୍, ସ୍ପୋର୍ଟସ କଂପ୍ଲେକ୍ସ, ସୁଇମିଂ ପୁଲ ମଧ୍ୟ ବନ୍ଦ ରହିବ । ସ୍କୁଲ, କୋଚିଂ ସେଣ୍ଟର ବନ୍ଦ ରହିବା ସହ ସାଂସ୍କୃତିକ, ଧାର୍ମିକ କାର୍ଯ୍ୟ ବନ୍ଦ ରହିବ। ବିବାହ ସମାରୋହ ବନ୍ଦ ରହିବ ବୋଲି ଏହି ଗାଇଡ ଲାଇନ୍‌ରେ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଜାରି ହେଲା ନୂଆ ଗାଇଡ୍‌ଲାଇନ: ଜାଣନ୍ତୁ କ’ଣ ବନ୍ଦ ରହିବ, କ’ଣ ଖୋଲା ରହିବ

You might also like