କରୋନାରେ ଚାଲିଗଲେ ବାବା, ସିଲ ହେଲା ୨୦ ଗାଁ

ଅମୃତସର: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେନେଇ ସାରା ଦେଶକୁ  ଏବେ ଲକ୍‌ଡାଉନ୍ କରାଯାଇଛି। ଏହାରି ଭିତରେ ଜଣେ ୭୦ ବର୍ଷୀୟ ବାବାଙ୍କର ମୃତ୍ୟୁ ଘଟିଛି।

କରୋନାରେ ସଂକ୍ରମିତ ଥିବାରୁ ସମ୍ପୃକ୍ତ ବାବାଙ୍କ ମୃତ୍ୟୁ ଘଟିଛି। ସେ ନିକଟରେ ଇଟାଲୀ ଏବଂ ଜର୍ମାନୀ ଭ୍ରମଣ ସାରି ଫେରିଥିଲେ।

ସୂଚନା ଅନୁସାରେ, ବିଦେଶରୁ ଫେରିଥିଲେ ମଧ୍ୟ ସେ ସେଲ୍ଫ କ୍ୱାରେଣ୍ଟାଇନରେ ନ ରହି ଏକ ପର୍ବରେ ସାମିଲ୍ ହୋଇଥିଲେ। ଯେଉଁଥିରେ ତାଙ୍କ ସହିତ ସାମିଲ୍ ହୋଇଥିଲେ ବହୁ ସଂଖ୍ୟକ ଲୋକେ। ଛଅ ଦିନ ଧରି ଏହି ପର୍ବ ପାଳନ କରାଯାଇଥିଲା ଓ ପ୍ରତିଦିନ ପାଖାପାଖି 10 ହଜାର ଲୋକ ଏକାଠି ହୋଇଥିଲେ। ଉକ୍ତ ବାବାଙ୍କର ମୃତ୍ୟୁ ପରେ ଏସବୁ ତଥ୍ୟ ସାମ୍ନାକୁ ଆସିଛି। ଯାହାକି ପ୍ରଶାସନ ପାଇଁ ଏବେ ଅଡ଼ୁଆ ସାବ୍ୟସ୍ତ ହୋଇଛି।

ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୃତ ୭୦ ବର୍ଷ ବୟସ୍କଙ୍କ ନାମ ବଳଦେବ ସିଂହ। ମୃତ୍ୟୁ ପୂର୍ବରୁ ଶିଖଙ୍କ ଏକ ପର୍ବରେ ସେ ସାମିଲ୍ ହୋଇଥିଲେ।

ବଳଦେବଙ୍କ ମୃତ୍ୟୁ ପରେ ତାଙ୍କର କିଛି ସମ୍ପର୍କୀୟ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ବାବାଙ୍କ ମୃତ୍ୟୁପରେ ୨୦ଟି ଗାଁକୁ ସିଲ କରାଯାଇଥିବା ଜଣାପଡ଼ିଛି। ଯେଉଁ ଅଞ୍ଚଳରେ ସମ୍ପୃକ୍ତ ବାବା ରହୁଥିଲେ। ପ୍ରଥମେ 15ଟି ଗାଁ ଓ ପରେ 5ଟି ଗାଁକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଥିବା ସୂଚନା ମିଳିଛି।

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏଯାବତ 779 ଜଣ ସଂକ୍ରମିତ ହୋଇଥିବା ବେଳେ 19 ଜଣଙ୍କର ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ପଞ୍ଜାବର।

You might also like