ଭାରତରେ ୧୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୨୯ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଥିବାବେଳେ ମୃତ୍ୟୁ ସଂଖ୍ୟା ୨୯ ଛୁଇଁଛି। ଅନ୍ୟପକ୍ଷରେ ସାରା ବିଶ୍ୱରେ ମୃତକଙ୍କ ସଂଖ୍ୟା ୩୦ ହଜାର ଟପିଛି।
କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ଦେଶର ସୁରକ୍ଷା ଦୃଷ୍ଟିରୁ ଲକଡାଉନ ଭଳି କଠୋର ନିଷ୍ପତ୍ତି ନିଆଯାଇଥିବା ଏବଂ ଲୋକେ ବିଭିନ୍ନ ଅସୁବିଧା ଭୋଗୁଥିବାରୁ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।
ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା କରିଥିଲେ। ମାତ୍ର କରୋନା ଭୟ ଏବଂ ସାମାଜିକ ଦୂରତାକୁ ଖାତିର ନ କରି ଶ୍ରମିକମାନେ ଘର ମୁହାଁ ହେଉଥିବାରୁ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ସ୍ଥିତି ନିୟନ୍ତ୍ରଣ ବାହାରେ ରହିଛି। ଫଳରେ କେନ୍ଦ୍ର ସରକାର ସୀମା ସିଲ୍ ନିର୍ଦ୍ଦେଶ ଦେବା ସହ ଏମାନଙ୍କ ପାଇଁ ରହିବା ଓ ଖାଇବା ଆଦି ବ୍ୟବସ୍ଥା କରାଇବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ବାହାରୁ ଆସିଥିବା ଦେଢ଼ ଲକ୍ଷ ଶ୍ରମିକଙ୍କ ଠାବ କରାଯିବ। ସେମାନଙ୍କୁ କ୍ୟାମ୍ପରେ ରଖି ଖାଇବା ଓ ସେମାନଙ୍କ ପାଇଁ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବ।