ବାହାରିଲା କରୋନା ଭାଇରସ ଟିକା !

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବର୍ତ୍ତମାନ ଏହାକୁ ରୋକିବା ପାଇଁ କୌଣସି ଔଷଧ ବାହାରି ପାରିନାହିଁ।

ଦିନରାତି ଏକାଠି କରି ବୈଜ୍ଞାନିକମାନେ ସେମାନଙ୍କର ରିସର୍ଚ୍ଚ ଜାରି ରଖିଛନ୍ତି। ଏପରିକି  ଅନେକ ଦେଶ ମଧ୍ୟ ଦାବି କରୁଛନ୍ତି ଯେ, କରୋନା ଭାଇରସ ଭାକ୍ସିନ(ଟିକା) ସେମାନଙ୍କ ଦେଶରେ ତିଆରି ଚାଲିଛି। 

ସୂଚନା ଅନୁସାରେ, ଏସବୁ ଭିତରେ ଆମେରିକାର ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସେମାନେ ବାହାର କରିଥିବା ଟିକା ସେହି ସ୍ତରରେ ପହଞ୍ଚିଛି, ଯାହାଦ୍ୱାରା  କରୋନା ଭାଇରସ ସଂକ୍ରମଣକୁ ରୋକା ଯାଇପାରିବ।

University of Pittsburgh school of medicine ର ବୈଜ୍ଞାନିକମାନେ କହିଛନ୍ତି, ଅନ୍ୟ ଦେଶ ତୁଳନାରେ ସେମାନେ ବହୁତ ଶୀଘ୍ର କୋଭିଡ୍-୧୯ କରୋନା ଭାଇରସ୍ ଟିକା ବିକଶିତ କରିଛନ୍ତି। SARS ଓ  MERS ର କରୋନା ଭାଇରସକୁ ଆଧାର କରି ଏହି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଟିକା ବାହାର କରିଛନ୍ତି।

ପିଟ୍ସବର୍ଗ ସ୍କୁଲ ଅଫ୍ ମେଡିସିନ୍‌ର ଜଣେ  ଆସୋସିଏଟ୍ ପ୍ରଫେସର କହିଛନ୍ତି , SARS ଓ  MERS ର ଭାଇରସ୍, କରୋନା ଭାଇରସ୍ ଅର୍ଥାତ କୋଭିଡ୍-୧୯ ସହ ପ୍ରାୟତଃ ସମାନ। 

ସେ ଆହୁରି କହିଛନ୍ତି ଯେ, ଜୀବାଣୁଙ୍କୁ କେମିତି ଶେଷ କରାଯିବ ତା’ର ପତ୍ତା ଆମେ ପାଇ ଯାଇଛୁ। ଆମେ ମୂଷା ଉପରେ ଏହି ଟିକାର ପ୍ରୟୋଗ କରିଥିଲୁ ଓ ଏହାର ଫଳାଫଳ ବହୁତ ସକାରାତ୍ମକ ଥିଲା।

ଏହି ଟିକାର ନାଁ PittGoVacc ରଖାଯାଇଛି ବୋଲି ପ୍ରଫେସର ଜଣକ କହିଛନ୍ତି। ଏହି ଟିକାର ପ୍ରଭାବରେ, ମୂଷାର ଶରୀରରେ ଏମିତି ଆଣ୍ଟିବଡି ସୃଷ୍ଟି ହୋଇଥିଲା ଯାହା କରୋନା ଜୀବାଣୁ ରୋକିବାରେ ପ୍ରଭାବଶାଳୀ।

ସେ ଆହୁରି କହିଛନ୍ତି, କରୋନା ଜୀବାଣୁକୁ ରୋକିବା ପାଇଁ ଶରୀର ଆବଶ୍ୟକ କରୁଥିବା ଆଣ୍ଟିବଡିଗୁଡିକ PittGoVacc ଟିକା ପୂରଣ କରୁଛି। ଆମେ ବହୁତ ଶୀଘ୍ର ମଣିଷ ଉପରେ ଏହାର ପରୀକ୍ଷା କରିବା ଆରମ୍ଭ କରିବୁ।

ପିଟ୍ସବର୍ଗ ସ୍କୁଲ ଅଫ୍ ମେଡିସିନର ଏହି ଟିମ୍ ଆସନ୍ତା କିଛି ମାସ ମଧ୍ୟରେ ମଣିଷ ଉପରେ ଏହି ଟିକା ପରୀକ୍ଷା ଆରମ୍ଭ କରିବ। ଏହି ଟିକା ଇଞ୍ଜେକ୍ସନ ଭଳି ନୁହେଁ ବୋଲିି ଜଣାପଡିଛି।

ବିଶ୍ୱରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ମହାମାରୀ କରୋନା ପୃଥିବୀର ୨୦୪ଟି ଦେଶ ଓ ଭୂଖଣ୍ଡକୁ କାବୁ କରିସାରିଥିବା ବେଳେ, ମୋଟ ୧୦ ଲକ୍ଷ ୧୬ ହଜାର ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଲକ୍ଷ ୧୨ ହଜାର ୯୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

You might also like