ମଣିଷ ପରେ ଏବେ ସିଂହମାନଙ୍କଠାରେ କରୋନା ଲକ୍ଷଣ !

ହାଇଦ୍ରାବାଦ: କରୋନା ଯୋଗୁଁ ସାରା ଦେଶରେ ହାହାକାର ପରିସ୍ଥିତି । ଏହାରି ମଧ୍ୟରେ ଏବେ ଖବର ସାମ୍ନାକୁ ଆସିଛି ଯେ, ପଶୁମାନଙ୍କଠାରେ ମଧ୍ୟ କରୋନାର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଛି । ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନରେ ୮ଟି ଏସୀୟ ସିଂହଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଛି । ମିଳିଥିବା ସୂଚନାନୁଯାୟୀ ୨୯ ଏପ୍ରିଲରେ ସେଣ୍ଟର ଫର ସେଲ୍ୟୁଲାର୍ ଏବଂ ମଲିକ୍ୟୁଲାର ବାୟୋଲୋଜି, ନେହେରୁ ପ୍ରାଣୀ ଉଦ୍ୟାନର ଅଧିକାରୀମାନଙ୍କୁ କହିଥିଲେ ଯେ ଆରଟିପିସିଆର ଟେଷ୍ଟରେ ୮ଟି ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ଏବେ ସୁଦ୍ଧା ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ ।

ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଡକ୍ଟର ସିଦ୍ଧାନନ୍ଦ କୁକରେତି ନିଜେ କହିଛନ୍ତି ଯେ, ସିଂହମାନଙ୍କଠାରେ କରୋନା ଲକ୍ଷଣ ଦେଖାଯାଇଛି। ଡାକ୍ତର କୁକରେତି କହିଛନ୍ତି, ଏହା ସତ୍ୟ ଯେ ସିଂହମାନେ କରୋନା ଲକ୍ଷଣ ଯୁକ୍ତ କିନ୍ତୁ ଏବେ ଏହି ସିଂହମାନଙ୍କର ସିସିଏମବିରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ଆସିବାକୁ ବାକିଅଛି । ରିପୋର୍ଟ ଆସିବା ପରେ ହିଁ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ ।

ବନ୍ୟପ୍ରାଣୀ ଅନୁସନ୍ଧାନ ଏବଂ ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶିରିଷ ଉପାଧ୍ୟାୟ କହିଛନ୍ତି ଯେ, ବ୍ରୋନକ୍ସ ପ୍ରାଣୀ ଉଦ୍ୟାନରେ କରୋନା ଭୂତାଣୁ ନେଇ ୮ଟି ବାଘ ଏବଂ ୮ଟି ସଂହର ନମୁନା ପରୀକ୍ଷା କରାଯାଇଥିଲା । ହେଲେ ପରୀକ୍ଷା ରିପୋର୍ଟରେ ସିଂହମାନେ କରୋନା ପଜିଟିଭ ଥିବା ନେଇ କିଛି ବି ଉଲ୍ଲେଖ ନାହିଁ । କିମ୍ବା ସେଭଳି କିଛି ତଥ୍ୟ ମିଳିପାରି ନାହିଁ । ତେବେ ହଂକଂର କୁକୁର ଏବଂ ବିଲେଇ ଭଳି ପଶୁଙ୍କଠାରେ ଏହି ଭୂତାଣୁ ମିଳିଥିବା କଥା ସ୍ୱୀକାର କରିଛନ୍ତି।

ସିଂହମାନଙ୍କଠାରେ କରୋନା ଲକ୍ଷଣ ଦେଖିବା ପରେ NZP ଅଧିକାରୀମାନେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାଣୀ ଚିକିତ୍ସକମାନେ ସିଂହମାନଙ୍କଠାରେ ଭୋକ ନହେବା, ନାକରୁ ସବୁବେଳେ ପାଣି ବାହାରିବା, କାଶ ହେବ ଆଦି ଲକ୍ଷଣ ଦେଖିବାକୁ ପାଇଥିଲେ । ଏହାପରେ ପରୀକ୍ଷା କରିବା ନେଇ ନିଷ୍ପତ୍ତି ନେଇଥିଲେ । ମୋଟ ୧୨ଟି ସିଂହର କରୋନା ପରୀକ୍ଷା କରାଯାଇଥିଲା।

You might also like