ଆଜି ବି ଆଖି ବୁଜିଲେ ୪ ହଜାର କରୋନା ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନାର ପ୍ରଭାବ ସାମାନ୍ୟ ହ୍ରାସ ପାଇଛି । ଦୈନିକ ସଂକ୍ରମଣ ହାର ୪ ଲକ୍ଷରୁ ଖସି ଏବେ ୩ ଲକ୍ଷରେ ସ୍ଥିର ରହିଛି । ଏହାବ୍ୟତୀତ ଆଉ ଏକ ଆଶ୍ୱସ୍ତିର ଖବର ହେଉଛି, ନୂଆ ସଂକ୍ରମିଙ୍କ ତୁଳନାରେ  ସୁସ୍ଥ ଲୋକଙ୍କ ହାର ଅଧିକ ରହୁଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦେଶରେ ୩ ଲକ୍ଷ ୪୨ ହଜାର ୮୯୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଦିନକରେ ଏହାଠାରୁ ଅଧିକ ଲୋକ ସୁସ୍ଥ ହୋଇ ଫେରିଛନ୍ତି । ଗୁରୁବାର ୩ ଲକ୍ଷ ୪୪ ହଜାର ୫୭୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଏଥିସହିତ ଆଜି ମୃତ୍ୟୁ ହାର ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଦେଶରେ ଆଜି ୪ ହଜାର ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ବର୍ତ୍ତମାନ ଆକ୍ଟିଭ କେସ ୩୭ ଲକ୍ଷ ୩୨୭ ରହିଛି ।

ଦେଶର କରୋନା ସଂକ୍ରମିତ ରାଜ୍ୟ ମାନଙ୍କରେ ସାମାନ୍ୟ ସୁଧାର ଆସିଛି । ଗୁରୁବାର ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଉଛି । ଗୁରୁବାର ରାଜଧାନୀରେ ୧୦ ହଜାର ୪୮୯ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟ ମଧ୍ୟରେ ୩୦୮ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ।

ସେହିପରି ଆର୍ଥିକ ରାଜଧାନୀ ମହାରାଷ୍ଟ୍ରରେ ୪୨ ହଜାର ୫୮୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ଏଠାରେ ୮୫୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ସେହିପରି କେରଳରେ ଦୈନିକ ସଂକ୍ରମଣ ବୁଧବାର ତୁଳନାରେ ଗୁରୁବାର କମ ରହିଛି୧ ଏଠାରେ ୩୯ ହଜାର ୯୫୫ ରୋଗୀ ଚିହ୍ନଟ ହୋଇଥିବାବେଳେେ ୯୭ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ଦେଶରେ କରୋନା ସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ କେନ୍ଦ୍ର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ନିୟମ କଡାକଡି କରିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମିକୁ  ବଢାଇବା ପାଇଁ ପରାମର୍ଶ ଦେଇଛନ୍ତି ।

ଅନ୍ୟପକ୍ଷେ କରୋନା ଟିକାକୁ ନେଇ ବଡ଼ ସୂଚନା ଦେଇଛନ୍ତି ନୀତି ଆୟୋଗ ସଦସ୍ୟ । ଆସନ୍ତା ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା ଉପଲବ୍ଧ ହେବା ନେଇ ଭି.କେ ପଲ କହିଛନ୍ତି। ଏହାସହ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଟିକା ଅଭାବ ସମସ୍ୟା ଦୂର ହେବ । ଆସନ୍ତା ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଦେଶରେ ଉପଲବ୍ଧ ହେବ। କୋଭିସିଲ୍ଡ,, କୋଭାକ୍ସିନ ସହ ବହୁ ବିଦେଶୀ କଂପାନୀ ଟିକା ବି ମିଳିବ ।

ସେତିକି ନୁହେଁ,  ଟିକା ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏବଂ ଭାରତ ବାୟୋଟେକ୍ ଅନ୍ୟ କମ୍ପାନୀକୁ ଆମନ୍ତ୍ରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହା କମ୍ପାନୀମାନେ କୋଭାକସିନ ଉତ୍ପାଦନ କରି ଏହାର ଯୋଗାଣ ବୃଦ୍ଧି କରିବାରେ ସାହାଯ୍ୟ କରିପାରିବେ। ଦେଶରେ କରୋନା ଟିକା ଅଭାବ ମଧ୍ୟରେ ଗୁରୁବାର ଦିନ ସରକାରଙ୍କ ଜଣେ ବରିଷ୍ଠ ଉପଦେଷ୍ଟା ଏହି ସୂଚନା ଦେଇଛନ୍ତି।

You might also like