ଦେଶରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ, ଆଖି ବୁଜିଲେ ୧, ୧୮୫

ନୂଆଦିଲ୍ଲୀ: ଦେଶରେ କରୋନା ତା’ର କରାଳ କାୟା ବିସ୍ତାର କରି ଚାଲିଛି। ସଂକ୍ରମଣ  ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି। ଗତକାଲି ଦେଶରେ୧ ଲକ୍ଷ ୯୯ ହଜାର ୫୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ୨ ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ଲକ୍ଷ ୧୭ ହଜାର ୩୫୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସଂକ୍ରମିତଙ୍କ ସଂଖ୍ୟା ମିଶାଇଲେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୨,୯୧,୯୧୭ରେ ପହଞ୍ଚିଛି।

ସରକାରୀ ତଥ୍ୟ ଅନୁସାରେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୧, ୧୮୫ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୪ ହଜାର ୩୦୮ ଛୁଇଁଛି।  ଦେଶରେ ବର୍ତ୍ତମାନ ସୁଦ୍ଧା  ୧୫ ଲକ୍ଷ ୬୯ ହଜାର ୭୪୩ ଜଣ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୧୧କୋଟି ୭୨ ଲକ୍ଷ ୨୩ ହଜାର ୫୦୯ଜଣଙ୍କୁ ଟିକା ନେଇଥିବା ଜଣାଯାଇଛି।

ଶୁକ୍ରବାର ଜାରି ତଥ୍ୟ ଅନୁଯାୟୀ, ଏପ୍ରିଲ ଆରମ୍ଭରୁ ଆଜି ସୁଦ୍ଧା ଅର୍ଥାତ୍‌ ୧୬ ଦିନ ମଧ୍ୟରେ ପ୍ରାୟ  ୨୧, ୪୨, ୫୮୨ ଜଣ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷେ ଏହି ସମୟ ମଧ୍ୟରେ ୧୧, ୮୪୦ ଜଣଙ୍କର ମୃତ୍ୟୁ ଘଟିଲାଣି। ଆଜି ଲଗାତାର ଦ୍ୱିତୀୟ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୧, ୭୨, ୨୩, ୫୦୯ ଜଣ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି।

ଅନ୍ୟପକ୍ଷେ ଦିଲ୍ଲୀ କୋଭିଡ-୧୯ର ସବୁଠାରୁ ଅଧିକ ପ୍ରଭାବିତ ସହର ହୋଇଯାଇଛି। ବୁଧବାର ସବୁଠାରୁ ଅଧିକ ସଂକ୍ରମିତ ଏଠାରୁ ଚିହ୍ନଟ ହୋଇଥିଲେ। ବୁଧବାର ଏଠାରୁ ୧୭ ହଜାର ସଂକ୍ରମିତ ବାହାରିଥିଲେ। ଏପରିକି ସଂକ୍ରମଣ ହାରରେ ଦିଲ୍ଲୀ ମୁମ୍ବାଇକୁ ପଛରେ ପକାଇ ଦେଇଥିଲା। ମୁମ୍ବାଇରେ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୧, ୧୬୩ ରୋଗୀ।

ଗୁରୁବାର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ୧୬, ୬୯୯ ଜଣ କରୋନା ରୋଗୀ ବାହାରିଥିବାବେଳେ ୧୧୨ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ୮୨, ୫୬୯ ଜଣଙ୍କର ନମୂନା ପରୀକ୍ଷଣ ହୋଇଥିଲା।

ମୁମ୍ବାଇର ତାଲିକା ଦେଖିଲେ, ଗୁରୁବାର ୮, ୨୧୭ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୪୯ ଜଣଙ୍କର ମୃତ୍ୟୁ ଘଟିଛି। ମହାନଗରରେ ସଂକ୍ରମଣ ସଂଖ୍ୟା ୫, ୫୩, ୧୫୯ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧୨, ୪୮୬ରେ ପହଞ୍ଚିଛି। ୨୪ ଘଣ୍ଟାରେ ୪୫, ୪୮୬ ନମୂନା ଯାଞ୍ଚ କରାଯାଇଛି।

You might also like