ରାଜ୍ୟରେ ଦିନକରେ ୫୦୦ ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୫ ଶହରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ଆଜି ରାଜ୍ୟରେ ୫୭୩ ନୂଆ ମାମଲା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ୩୩୭ କ୍ୱାରେଣ୍ଟିନରେ ଥିବାବେଳେ ୨୩୬ ଲୋକାଲ କେସ୍‌  ରହିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି  ଅନୁଗୁଳରୁ  ୩୨, କଟକରୁ ୨୮, ବରଗଡରୁ ୪୩,  କଳାହାଣ୍ଡିରୁ ୨୪, ବଲାଙ୍ଗିରରୁ ୨୦, ପୁରୀ, ରାୟଗଡ଼ାରୁ ୧୬, ମୟୂରଭଞ୍ଜରୁ ୧୩, ବାଲେଶ୍ୱରରୁ ୧୧, କେନ୍ଦୁଝରରୁ ୮ ରୋଗୀ ଚିହ୍ନଟ  ହୋଇଛନ୍ତି। ସେହିପରି ବୌଦ୍ଧ, ଦେବଗଡ, କେନ୍ଦ୍ରାପଡ଼ା, କନ୍ଧମାଳ, ନୟାଗଡରୁ ଜଣେ ଲେଖାଏ, ଗଜପତିରୁ ୩, ଗଞ୍ଜାମରୁ ୮, ଜଗତ୍‌ସିଂହପୁରରୁ ୪, ଜାଜପୁରରୁ ୧୩, ଝାରସୁଗୁଡାରୁ ୩୯, କନ୍ଧମାଳରୁ ୧,  ନବରଙ୍ଗପୁର, ଗଜପତି, କୋରାପୁଟ ଓ ଭଦ୍ରକରୁ ୩ ଲେଖାଏଁ, ନୂଆପଡାରୁ ୬୦, ସମ୍ବଲପୁରରୁ ୨୧, ସୋନପୁରରୁ ୨, ସୁନ୍ଦରଗଡରୁ ୮୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍‌ରୁ ୨୨ ଜଣ ଆକ୍ରାନ୍ତଙ୍କୁ ଠାବ କରାଯାଇଛି।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୩,୨୬୮ ଥିବାବେଳେ ସୁସ୍ଥ ହୋଇଛନ୍ତି ୩,୩୭,୯୩୫। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ରହିଛି ୩,୩୫୮।

ସୂଚନାଥାଉ କି, ରାଜ୍ୟରେ ଶନିବାର ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହିଦିନ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୮୦ ଜଣ । ସେହିପରି ଶୁକ୍ରବାର ମଧ୍ୟ ରାଜ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ।

ରାଜ୍ୟରେ କରୋନାର ଦ୍ୱିତୀୟ ଲହରୀ ଦେଖାଦେବା ପରେ ଆଜି ପ୍ରଥମଥର ପାଇଁ ଦୈନିକ ସଂକ୍ରମଣ ସଂଖ୍ୟା ୫୦୦ ଟପିଛି। ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ଛତିଶଗଡ଼ ସୀମାକୁ ଲାଗି କରି ରହିଥିବା ଜିଲ୍ଲା ଗୁଡ଼ିକରେ ସ୍ଥିତି ଉଦ୍‌ବେଗଜନକ ହେଲାଣି। ଏହି ସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ହେଉଛି। ଛତିଶଗଡ଼ରୁ ଏହି ସବୁ ଜିଲ୍ଲାକୁ କରୋନା ବ୍ୟାପିଥିବାର ସନ୍ଦେହ କରାଯାଉଛି। କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ସୂଚନାଥାଉ କି, ଦେଶରେ ମଧ୍ୟ କରୋନା ସଂକ୍ରମଣ ଆଜି ରେକର୍ଡ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ୧, ୦୩, ୩୪୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏହା ସର୍ବାଧିକ ରକେର୍ଡ। ଆମେରିକା ପରେ ଏବେ ଭାରତ ଦ୍ୱିତୀୟ ଦେଶ ଯେଉଁଠି ଦୈନିକ କରୋନା ରୋଗୀ ଏକ ଲକ୍ଷ ଚିହ୍ନଟ ହେଉଛନ୍ତି।  ଅନ୍ୟପକ୍ଷେ ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୭୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଏଠି କହିରଖିବୁ, ଏହା ପୂର୍ବରୁ ଦେଶରେ ଗତ ସେପ୍ଟେମ୍ବରରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିଲେ। ସେତେବେଳେ ଦୈନିକ ଚିହ୍ନଟ କରୋନା ରୋଗୀଙ୍କ ସଂଖ୍ୟା ୯୮, ୭୯୫ ଲକ୍ଷ ଥିଲା।

You might also like