ସଂକ୍ରମଣ ବଢୁଛି, ଶିକ୍ଷାନୁଷ୍ଠାନ ସିଲ୍‌ ହେଉଛି

କାୟା ମେଲାଉଛି କରୋନା

  • କରୋନା କବଳରେ ଟୁଇନ୍ ସିଟିର ଅନେକ ଶିକ୍ଷାନୁଷ୍ଠାନ
  • ସଂକ୍ରମଣ ବଢ଼ିବା ପରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ସିଲ୍
  • କଲେଜ୍ ଓ ବିଶ୍ୱବିଦ୍ୟାଳୟ ସହ ହଷ୍ଟେଲରେ ବି ଚେକିଂ ଜୋରଦାର
  • ଶିକ୍ଷାନୁଷ୍ଠାନ ଗୁଡ଼ିକର ହଷ୍ଟେଲରେ ଚେକିଂ ଓ ଟେଷ୍ଟିଂ ବଢ଼ାଯିବ: ବିଏମ୍ସି କମିଶନର୍

ଭୁବନେଶ୍ୱର: କରୋନା କବଳରେ ଟୁଇନ୍ ସିଟିର ଅନେକ ଶିକ୍ଷାନୁଷ୍ଠାନ ସଂକ୍ରମଣ ବଢ଼ିବା ପରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ସିଲ୍‌ ହେଉଛି। ଏହା ଭିତରେ କଲେଜ୍ ଓ ବିଶ୍ୱବିଦ୍ୟାଳୟ ସମେତ ହଷ୍ଟେଲରେ ମଧ୍ୟ ଚେକିଂ ବଢ଼ିଛି। ତାସତ୍ତ୍ୱେ ନିୟନ୍ତ୍ରଣରେ ରହୁନାହିଁ କରୋନା। ଭୁବନେଶ୍ୱରର ଜାଭିୟର ଇନଷ୍ଟିଚ୍ୟୁଟ୍‌ ପରେ କଟକରେ ଅନ୍ୟ ଏକ କଲେଜରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପଟେ ବିଏମ୍ସି କମିଶନର୍ କହିଛନ୍ତି, ଶିକ୍ଷାନୁଷ୍ଠାନ ଗୁଡ଼ିକର ହଷ୍ଟେଲରେ ଚେକିଂ ଓ ଟେଷ୍ଟିଂ ବଢ଼ାଯିବ।

ପ୍ରଥମେ କଟକ, ପରେ ଭୁବନେଶ୍ୱର। ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଟୁଇନ୍ ସିଟିର ସବୁ କ୍ୟାଂପସରେ ଏବେ ଭୟର ବାତାବରଣ। ଭୁବନେଶ୍ୱର ବିଜେବି କଲେଜ୍ ଓ ହଷ୍ଟେଲରେ ଥର୍ମାଲ ସ୍କ୍ରିନିଂ ସହିତ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି। ସଂକ୍ରମଣ ଆଶଙ୍କା ଥିବାରୁ ହଷ୍ଟେଲରୁ କାହାରିକୁ ବାହାରକୁ ଛଡାଯାଉ ନଥବା କହିଛନ୍ତି କଲେଜ ଅଧ୍ୟକ୍ଷ। ଅନ୍ତେବାସୀଙ୍କକୁ ସେମାନଙ୍କ ଆବଶ୍ୟକ ସାମଗ୍ରୀ ଓ୍ୱାର୍ଡେନ୍ ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ବି ଆଶଙ୍କା ଭିତରେ ରହିଛନ୍ତି ଛାତ୍ରଛାତ୍ରୀ।

ସେପଟେ କିନ୍ତୁ କଟକରେ ଏହାର ବ୍ୟତିକ୍ରମ ଦେଖାଯାଉଛି। ଛାତ୍ରଛାତ୍ରୀଙ୍କର ଅଭିଯୋଗ ହେଲା କରୋନାର କୌଣସି କଟକଣା ହଷ୍ଟେଲରେ ପାଳନ ହେଉନାହିଁ। ଗୋଟିଏ ପଟେ ବଢୁଥିବା ସଂକ୍ରମଣକୁ ନେଇ ପିଲାଙ୍କ ଭିତରେ ଭୟ ରହିଥିବା ବେଳେ ଗତବର୍ଷ ଭଳି ଯଦି କଲେଜ୍ ବନ୍ଦ ହୋଇଯାଏ, ତାହେଲେ ପାଠପଢ଼ା କେମିତି ହେବ ତାକୁ ନେଇ ବି ସମସ୍ତେ ଚିନ୍ତାରେ ଅଛନ୍ତି। ସେପଟେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଉପରେ ରହିଛି ବିଏମ୍ସିର ଫୋକସ୍। ମଝିରେ ମଝିରେ ଚେକିଂ ସହ ସହ ଟେଷ୍ଟିଂ ଉପରେ ଦିଆଯାଉଛି ଗୁରୁତ୍ୱ।

XIMBରୁ ୪୫ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ସ୍ୱତନ୍ତ୍ର ଟିମ୍ ଗଠନ କରି ସଚେତନ କରିବ ବିଏମ୍ସି ବୋଲି ସୂଚନା ମିଳିଛି। ଏହା ଭିତରେ XIMBରୁ ୨୦୪ ଜଙ୍କର ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୨୦୧ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବିଏମ୍ସି କମିଶନର କହିଛନ୍ତି। ସେପଟେ କଟକରେ ପୂର୍ବରୁ ଦୁଇଟି ପ୍ରତିଷ୍ଠାନରୁ ୪୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତକାଲି ଆଉ ଏକ ଶିକ୍ଷାନୁଷ୍ଠାନରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଶିକ୍ଷାନୁଷ୍ଠାନ ବିଶେଷ କରି ହଷ୍ଟେଲ ଗୁଡ଼ିକରେ କରୋନା ସଂକ୍ରମଣ ବଢ଼ିବା ପଛରେ କେତେକ ମୁଖ୍ୟ କାରଣ ଥିବା କୁହାଯାଉଛି। ଯେମିତିକି କମନ୍ ଟଏଲେଟ୍ ଓ ବାଥରୁମ୍ ବ୍ୟବହାର ଏଥିସିହତ ଗୋଟିଏ କ୍ୟାଣ୍ଟିନରେ ମିଳିମିଶି ଖାଇବା, କମନ୍ ରୁମ୍ କି କାଫିଟାରିଆରେ ଏକାଠି ହେବା। କିଛି ଛାତ୍ରଛାତ୍ରୀ କ୍ୟାଂପସକୁ ଯିବାଆସିବା ଲାଗି ଟାଉନ୍ ବସ୍ ବି ବ୍ୟବହାର କରୁଛନ୍ତି। ତେଣୁ କିଏ କେତେବେଳେ କାହା ସଂସ୍ପର୍ଶରେ ଆସୁଛି ତାକୁ ଜଗିବା କାଠିକର ପାଠ ହୋଇପଡ଼ିଛି।

କଟକରୁ ଦେବାଶିଷ ମହାନ୍ତି ଓ ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀଙ୍କ ରିପୋର୍ଟ

You might also like