ପୁଣି ଫଁ ଫଁ ହେଲାଣି କରୋନା: ସଂକ୍ରମଣ ବଢୁଥିବାରୁ ଲକଡାଉନ ନିଷ୍ପତ୍ତି ନେବେ କି ସରକାର?

କରୋନାର ଲେଉଟାଣି କୋପ

  • କରୋନାର ଲେଉଟାଣି କୋପ
  • ମାଲକାନଗିରିକୁ ଫେରିଲା ନାଇଟ୍‌ କର୍ଫ୍ୟୁ
  • ୪୫ ପଜିଟିଭ ପରେ ଭୁବନେଶ୍ୱର XIMBକୁ ସିଲ୍ କଲା ବିଏମ୍ସି
  • ପୁଣି ଗାଁରେ ସକ୍ରିୟ ହେବେ କୋଭିଡ୍ ପରିଚାଳନା କମିଟି:ଏସଆରସି
  • ଆସନ୍ତାକାଲି ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
  • ଗଂଜାମ ପ୍ରଶାସନ ବି ବାହାରୁ ଆସୁଥିବା ଲୋକଙ୍କ ପ୍ରତି କଡ଼ା କଲା ନିୟମ

ଭୁବନେଶ୍ୱର: ଦେଶ ଭଳି ରାଜ୍ୟରେ ବି ଚିନ୍ତା ବଢ଼ାଇଲାଣି କରୋନାର ଲେଉଟାଣି କୋପ। ଅଧିକ ଟେନସନ୍ ଟ୍ୱିନସିଟିରେ ଦେଖିବାକୁ ମିଳୁଛି। ଭୁବନେଶ୍ୱର XIMBରେ ଏକାଥରକେ ୪୫ ସଂକ୍ରମିତ ଚିହ୍ନଟ ନେଇ ସୂଚନା ଦେଇଛନ୍ତି ଏସଆରସି। ତେଣେ ଏଭଳି ସଂକ୍ରମଣ ବୃଦ୍ଧି ଦେଖି ତତ୍ପର ହୋଇଛନ୍ତି ଉଭୟ ବିଏମ୍ସି ଓ ରାଜ୍ୟ ସରକାର। ଆଜି ସବୁ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ଶାସନ ସଚିବ ଆଲୋଚନା କରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବି ସ୍ଥିତିର ସମୀକ୍ଷା କରିବେ ବୋଲି ଏସଆରସି କହିଛନ୍ତି। ଆଉ ପୁଣି ଥରେ ଗାଁର କୋଭିଡ୍ ପରିଚାଳନା କମିଟିକୁ ସକ୍ରିୟ କରାଯିବା ସହ ସ୍ଥିତି ଦେଖି ଲକ୍ଡାଉନ୍ କି ଅନ୍ୟ ଦିଗ ଉପରେ ବି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

କିଛି ଦିନ ଧରି ଫଁ ଫଁ ହେଉଥିଲା, ହେଲେ ଏବେ ସିଧା ଚୋଟ ମାରିଲାଣି କରୋନା। ସାଇଁ ସାଇଁ ହୋଇ ମାଡ଼ୁଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୬ ନୂଆ ଆକ୍ରାନ୍ତ ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଆଉ ଏପରି ସ୍ଥିତି ଦେଖି ତତ୍କାଳ ଚେଇଁ ଉଠିଛନ୍ତି ସରକାର। ଆସନ୍ତାକାଲି ନିଜେ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଭିନ୍ନ ବିଭାଗର ସଚିବ, ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି। ତାପୂର୍ବରୁ ଆଜି ସବୁ କଲେକ୍ଟରଙ୍କ ସହ ମୁଖ୍ୟ ଶାସନ ସଚିବ ଭିଡିଓ କନ୍ଫରେନିସଂରେ କଥା ହୋଇଛନ୍ତି। ଯେଉଁଥିରେ ସାମିଲ ଥିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ବୈଠକ ପରେ ଏସଆରସି ବଡ଼ ସୂଚନା ଦେଇ କହିଛନ୍ତି, ପୁଣି ଥରେ ଗାଁର କୋଭିଡ୍ ପରିଚାଳନା କମିଟିକୁ ସକ୍ରିୟ କରାଯିବ। ସଂକ୍ରମିତ ଓ ସଂକ୍ରମଣ ଜଗିବାକୁ ସରପଞ୍ଚ, ଆଶାଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଦାୟିତ୍ୱ ଦିଆଯିବ। ଗାଁକୁ ଆସୁଥିବା ବାହାର ଲୋକଙ୍କ ଉପରେ ସେମାନେ ୨୪ ଘଣ୍ଟା ନଜର ରଖିବେ। ସ୍ଥିତି ଦେଖି ଲକ୍ଡାଉନ୍ କି ଅନ୍ୟ ଦିଗ ଉପରେ ବି ନିଷ୍ପତ୍ତି ନିଆଯିବ ବୋଲି ଏସଆରସି କହିଛନ୍ତି।

ଏଣେ ଟ୍ୱିନସିଟିରେ ଡେଣା ମେଲାଇ ମାଡ଼ି ଚାଲିଛି କରୋନା। କଟକ ପରେ ରାଜଧାନୀର ଏକ ଶିକ୍ଷାନୁଷ୍ଠାନରୁ ଆସିଛି ଚମକାଇଲା ଭଳି ଖବର। XIMBରେ ୪୫ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ନିଜେ ଏସଆରସି। ହଠାତ୍ ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ପରେ XIMBକୁ ସିଲ୍ କରିଛି BMC। ଶିକ୍ଷାନୁଷ୍ଠାନ ଭିତରକୁ କାହାକୁ ଛଡ଼ାଯାଉନି କି ସେଠୁ କାହାରିକୁ ବାହାରକୁ ଛଡ଼ାଯାଉନି। ସବୁ ଆକ୍ରାନ୍ତଙ୍କ କଣ୍ଟା ଟ୍ରେସିଂ କରାଯାଇ ଟେଷ୍ଟିଂ କରାଯାଉଛି ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କର ମଧ୍ୟ ଟେଷ୍ଟ କରାଯିବ ବୋଲି କହିଛନ୍ତି ବିଏମ୍ସି କମିଶନର। ତାସହ ଭୁବନେଶ୍ୱରରେ ସ୍ଥିତି ପୂର୍ବ ଅପେକ୍ଷା ଚିନ୍ତାଜନକ ଥିବା କମିଶନର ସ୍ୱୀକାର କରିବା ସହ ଏୟାରପୋର୍ଟ ଓ ରେଳ ଷ୍ଟେସନରେ ସକ୍ରିୟ ଭାବେ ଟେଷ୍ଟିଂ କରାଯିବ ବୋଲି କହିଛନ୍ତି। ସେପଟେ ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତଙ୍କ ସମେତ ତାଙ୍କ ପରିବାରର ୩ ଜଣ କରୋନାରେ ଆକ୍ରାନ୍ତ ଜଣା ପଡ଼ିବା ପରେ ସ୍ଥିତି ଉପରେ ନଜର ରଖାଯାଇଛି।

ତେବେ ରାଜଧାନୀରେ କରୋନାର ଲେଉଟାଣି କୋପ ଦେଖି ସଜାଗ ହୋଇଛି ବିଏମସି। ଆଗକୁ ଦୋଳ ଓ ହୋଲି ପର୍ବ ପାଇଁ ଜାରି କରିଛି କଡ଼ା ନିୟମାବଳୀ। ଦୋଳ ବିମାନ ଯାତ୍ରାରେ ସର୍ବାଧିକ ୬ ଜଣଙ୍କୁ ଅନୁମତି ମିଳିବ। ହେଲେ ପ୍ରୋସେସନ ସମ୍ପୂର୍ଣ୍ଣ ମନା ରହିଛି। ମେଳଣ ପଡ଼ିଆରେ ସର୍ବାଧିକ ୫୦ରୁ ୬୦ ଲୋକ ରହି ପାରିବେ। ଯାତ୍ରା କି ମୀନାବଜାରକୁ ମୋଟେ ଅନୁମତି ନାହିଁ। ସେହିପରି ଗଂଜାମ ଜିଲ୍ଲା ପ୍ରଶାସନ ବି ସ୍ଥିତି ଦେଖି ସତର୍କ ହୋଇଛି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ-ଏଣିକି ହଟସ୍ପଟ ଅଂଚଳରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯିବ। ବାହାରୁ ଆସିଲେ RTPCR ରିପୋର୍ଟ ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ସବୁ ଲୋକ ୭ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ ବୋଲି ଆଜି ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ଏଣେ ଦେଶରେ ବି ରେକର୍ଡ ପରେ ରେକର୍ଡ କରି ଚାଲିଛି କରୋନା। ଗତ ୨୪ ଘଣ୍ଟାରେ ୪୬ ହଜାର ୯୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ରହିଛି ୨୧୨। ଦେଶର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୮୩.୧୪ ପ୍ରତିଶତ କେବଳ ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ, ଗୁଜୁରାଟ ଓ ମଧ୍ୟପ୍ରଦେଶରୁ ଚିହ୍ନଟ ହେଉଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ତେଣେ ପୁଣି ରାଜ୍ୟକୁ ଫେରିଲା ନାଇଟ୍ କର୍ଫ୍ୟୁ। ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କୋରନା ସଂକ୍ରମଣ ବୃଦ୍ଧିକୁ ଦେଖି ମାଲକାନଗିରିରେ ନାଇଟ୍ କର୍ଫ୍ୟୁ ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପୁରା ଜିଲ୍ଲାରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ଦୈନିକ ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ବୋଲି ଜଣାପଡ଼ିଛି।

You might also like