ଶ୍ରୀମନ୍ଦିର ସଂସ୍କାର ପ୍ରସ୍ତାବକୁ ନେଇ ସେବାୟତଙ୍କ ଅସହମତି

ପୁରୀ: ହଜାର ହଜାର ବର୍ଷ ଧରି ଶ୍ରୀମନ୍ଦିରରେ ଚାଲିଛି ଠାକୁରଙ୍କ ପୂଜା ନୀତି ଓ ସେବା ପରମ୍ପରା। ବର୍ଷ ତମାମ ମହାପ୍ରଭୁଙ୍କ ୧୧୯ ପ୍ରକାର ସେବାରେ ବଂଶାନୁକ୍ରମିକ ଭାବେ ନିୟୋଜିତ ହୋଇଛନ୍ତି ବିଭିନ୍ନ ନିଯୋଗର ସେବାୟତ। ହେଲେ ଏବେ ସେ ବଂଶାନୁକ୍ରମିକ ସେବାକୁ ଉଚ୍ଛେଦ ସହ ସେବାୟତ ନେଉଥିବା ଦାନ ଦକ୍ଷିଣା, ଅନ୍ନଦାନ ଆଟିକା ବନ୍ଦ ଏବଂ ଶ୍ରୀମନ୍ଦିର ଆଇନ-୧୯୫୪ରେ ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ ନେଇ ତେଜିଛି ବିବାଦ।

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ୧୨ଟି ନିର୍ଦ୍ଦେଶାବଳୀ ଉପରେ ଗତକାଲି ଛତିଶା ନିଯୋଗରେ ଆଲୋଚନା ବେଳେ ଆସିଥିବା ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ ୧, ୨  ଓ ୧୨ ନମ୍ବର ପଏଣ୍ଟକୁ ତୀବ୍ର ବିରୋଧ କରିଥିଲେ ବିଭିନ୍ନ ନିଯୋଗର ସେବାୟତ। ଏମିତିକି ରୋଷଶାଳାରେ ଥିବା ଚୁଲିକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଜ୍ ଦିଆଯିବା ପ୍ରସ୍ତାବକୁ ରୋକଠୋକ୍ ଅସ୍ୱୀକାର କରିଛି ସୁଆର ମହାସୁଆର ନିଯୋଗ।

ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ରୀତି ନୀତି ଓ ଯାନି ଯାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ। ତେବେ ଆନନ୍ଦ ବଜାରରେ ମହାପ୍ରସାଦର ରେଟ୍ ଚାର୍ଟ ପ୍ରଦର୍ଶନ, ସେବାୟତଙ୍କୁ ପରିଚୟପତ୍ର ପ୍ରଦାନ, ଭିଆଇପିଙ୍କ ପାଇଁ ଟିକଟ୍ ଦର୍ଶନ ବ୍ୟବସ୍ଥା ଓ ଭକ୍ତଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ଭଳି ସୁପ୍ରିମକୋର୍ଟଙ୍କ ଅନ୍ୟ ୯ଟି ପ୍ରସ୍ତାବ ଓ ନିର୍ଦ୍ଦେଶାବଳୀ ଉପରେ ଛତିଶା ନିଯୋଗ ସହମତି ପ୍ରକାଶ କରିଛି। ଅନ୍ୟ ପଏଣ୍ଟଗୁଡ଼ିକ ଉପରେ ଯାହା କିଛି ସଂଶୟ ଓ ଅଭିଯୋଗ ରହିଛି, ଚଳିତ ମାସ ଶେଷ ଆଡ଼କୁ ପୁରୀ ଆସୁଥିବା ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଗୋପାଳସୁବ୍ରମଣ୍ୟମଙ୍କ ନିକଟରେ ପକ୍ଷ ରଖି ପାରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଏବେ ଅପେକ୍ଷା ଆମିକ୍ସ କ୍ୟୁରି ଓ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ କ’ଣ ସବୁ ଅସନ୍ତୋଷ ଜଣାଉଛନ୍ତି ସେବାୟତ।

You might also like