ସଂକ୍ରମଣ ବଢ଼ାଉଛି, କିନ୍ତୁ ଘାତକ ନୁହେଁ କରୋନାର ନୂଆ ଷ୍ଟ୍ରେନ୍‌

ଲଣ୍ଡନ: ବ୍ରିଟେନରେ  କରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସିବା ପରେ ବଢିଛି ଭାରତର ଚିନ୍ତା । ଡିସେମ୍ବର ୩୧ ଯାଏଁ ବ୍ରିଟେନକୁ  ବିମାନ ଉଡାଣ ବାତିଲ କରାଯାଇଛି । ତେବେ ସୋମବାର ବ୍ରିଟେନ୍‌ରୁ  ଭାରତ ଆସିଥିବା ବିଭିନ୍ନ ବିମାନରୁ ୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦିଲ୍ଲୀରେ ୫, କୋଲକାତାରୁ ୨ ଏବଂ ଚେନ୍ନାଇ ବିମାନ ବନ୍ଦରରୁ ଜଣେ ଯାତ୍ରୀ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ୍‌ରେ ରଖିବା ସହ ପରୀକ୍ଷା ପାଇଁ ସାମ୍ପଲକୁ ପୁଣେ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ଯେ, ଆକ୍ରାନ୍ତଙ୍କଠାରୁ ମିଳିଥିବା ଭୂତାଣୁ ବ୍ରିଟେନର ନୂଆ ଷ୍ଟ୍ରେନ୍ କି ନୁହେଁ ।

ସେହିପରି ବ୍ରିଟେନରୁ ଆସିଥିବା ସମସ୍ତ ଯାତ୍ରୀଙ୍କ RTPCR ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ନଭେମ୍ବର ୨୫ରୁ ଡିସେମ୍ବର ୨୨ ମଧ୍ୟରେ ବ୍ରିଟେନରୁ ବା ବ୍ରିଟେନ ଦେଇ ଆସିଥିବା ବିମାନ ଯାତ୍ରୀଙ୍କ ଯାଞ୍ଚ କରାଯିବ । ଇମିଗ୍ରେସନ ସହାୟତାରେ ସମସ୍ତ ଯାତ୍ରୀଙ୍କ ତାଲିକା ରାଜ୍ୟମାନଙ୍କୁ ଦିଆଯିବ।

ତାଲିକା ଅନୁସାରେ ରାଜ୍ୟ ସରକାର ସଂପୃକ୍ତ ଯାତ୍ରୀମାନଙ୍କ ଯାଞ୍ଚ କରିବେ । ସେପଟେ ଗତକାଲି ପ୍ରେସମିଟ୍ କରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ବ୍ରିଟେନରୁ ଯେଉଁ ନୂଆ ଷ୍ଟ୍ରେନ୍ ମିଳିଛି ତାହା କେବଳ ସଂକ୍ରମଣ ବଢ଼ାଉଛି । ତେବେ ରୋଗୀକୁ ବିଶେଷ ଭାବେ ଗୁରୁତର କରୁନାହିଁ । ଏହା କମ୍ ଘାତକ। ଏହାଦ୍ୱାରା ମୃତ୍ୟୁସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ କମ । ବ୍ରିଟେନ୍‌ରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଏଯାବତ ଭାରତରେ ମିଳିନାହିଁ । ତେଣୁ ଦେଶବାସୀଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ସରକାର ।

ଖାଲି ଭାରତ ନୁହେଏ ୩୦ ଦେଶ ୟୁକେ ସହ ବିମାନ ଯୋଗାଯୋଗ ଛିନ୍ନ କରିଛନ୍ତି। ସ୍ଥିତି ବିଗୁଡୁଥିବା ଦେଖି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ କହିଛି, ବ୍ରିଟେନ୍‌ରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ନୂଆ କରୋନା ଘାତକ ବୋଲି ଏ ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। ତେବେ ବ୍ରିଟେନର ଯେଉଁ ଅଞ୍ଚଳରେ ଏହି ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି ସେଠାରେ ସଂକ୍ରମଣ ହାର କେବଳ ଅଧିକ ରହିଛି।

 

You might also like