ଜୈବ ଫୋଟକା ସୁରକ୍ଷା ବଳୟ ଭିତରେ ହେବ ରଥ ନିର୍ମାଣ

ବାୟୋ ବବଲ୍ ବା ଜୈବ ଫୋଟକାର ସୁରକ୍ଷା ବଳୟ ଭିତରେ ରଥ ନିର୍ମାଣ ଚାଲିବ

ପୁରୀ:ରଥ ଖଳାରେ କରୋନା ପଶିବା ପରେ ରଥ ନିର୍ମାଣ ନେଇ ଚିନ୍ତାରେ ପଡିଥିଲା ଶ୍ରୀମନ୍ଦିର ପ୍ରଶାସନ। ତେବେ ରଥ ନିର୍ମାଣ କାମ ହେବ। ସେବାୟତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ।  ଜୈବ ସୁରକ୍ଷା ଭିତରେ ଚାଲିବ ରଥ କାମ । ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

ନିକଟରେ ରଥଖଳାରେ ନିୟୋଜିତ ୮୮ ଜଣ ସେବାୟତଙ୍କ ଭିତରୁ ୮ ଜଣଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ଅଛନ୍ତି। ଏତେ ସଂଖ୍ୟକ ପଜିଟିଭ ବାହାରିବା ପରେ ଚିନ୍ତାରେ ପଡ଼ିଥିଲା ଶ୍ରୀମନ୍ଦିର ପ୍ରଶାସନ।

ତେଣୁ  ବାୟୋ ବବଲ୍ ବା ଜୈବ ଫୋଟକାର ସୁରକ୍ଷା ବଳୟ ଭିତରେ ରଥ ନିର୍ମାଣ ଚାଲିବ । ରଥକାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ତେବେ କ’ଣ ଏହି  ବାୟୋ-ବବଲ ? ବାୟୋ-ବବଲ ଅର୍ଥ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଚାରିପଟେ ଏଭଳି ସୁରକ୍ଷିତ ବଳୟ ବା ଅଦୃଶ୍ୟ କବଚ ସୃଷ୍ଟି କରିବା। ଏହି ସୁରକ୍ଷା ବଳୟ ବା ଅଦୃଶ୍ୟ କବଚ ଭିତରକୁ  ସଂକ୍ରମଣ ଭେଦ କରିପାରିବ ନାହିଁ। ଯେଉଁମାନେ ସେହି ବଳୟ ଭିତରେ ରହିବେ ସେମାନଙ୍କ ପାଇଁ ଥିବା ଏସ୍ଓପିକୁ କଡ଼ାକଡ଼ି ଅନୁସରଣ କରିବାକୁ ପଡିବ। ସଂକ୍ରମଣରୁ ବର୍ତ୍ତିବାକୁଳ ହେଲେ ସେମାନେ ଘରକୁ ଯାଇପାରିବେନି।  ପରିବାର ଲୋକ କିମ୍ବା ଅନ୍ୟ କାହାରି ସଂସ୍ପର୍ଶରେ ଆସିପାରିବେ ନାହିଁ।

ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ହାର ଦିନକୁ ଦିନ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୨,୫୨୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କ୍ୱାରେଣ୍ଟିରେ ୭, ୦୧୨ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ   ୫,୫୧୧ ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ତେବେ ସବୁଠାରୁ ବେଶି  ଚିନ୍ତା ବଢାଇଛି ଖୋର୍ଦ୍ଧା ଜିଲ୍ଲା। ସବୁଠାରୁ ଅଧିକ ସଂକ୍ରମତଙ୍କ ତାଲିକାରେ ଉପରେ ରହଛି ଏହି ଜିଲ୍ଲା। ଆଜି ଏଠାରୁ ଚିହ୍ନଟ ହୋଇଛନ୍ତି ୧,୮୪୨ ଜଣ ରୋଗୀ। ଅନ୍ୟପକ୍ଷେ  ପୁରୀରେ ଆଜି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଠାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦୦ ଭିତରେ ରହୁଥିବାବେଳେ ଆଜି ୫୦୦ ଟପିଛି। ଆଜି ଏହି ଜିଲ୍ଲାରୁ ୫୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

You might also like