ବିରାଟଙ୍କୁ ଝଟ୍‌କା: ଶେଷ ଘଣ୍ଟାଏରେ ଓଲଟପାଲଟ ହୋଇଗଲା ସବୁକିଛି

ନୂଆଦିଲ୍ଲୀ: ୨୦୨୦ ମସିହାରେ ଭାରତୀୟ ଦଳର କ୍ୟାପଟେନ୍‌ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶତକ ହାସଲ କରିବାରେ ବିଫଳ ହୋଇଛନ୍ତି। ୨୦୦୮ ମସିହାରେ ବିରାଟ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେହି ବର୍ଷ ସେ ଶତକ ହାସଲ କରିପାରିନଥିଲେ। କିନ୍ତୁ ତା ପର ଠାରୁ ସେ କ୍ରମାଗତ ଭାବେ ପ୍ରତିବର୍ଷ ଶତକ ପରେ ଶତକ ମାରିଥିଲେ। କିନ୍ତୁ ଏବର୍ଷ ତାଙ୍କ ଭାଗ୍ୟ ତାଙ୍କୁ ସାଥ୍ ଦେଇନାହିଁ। ୨୦୨୦ରେ ବିରାଟ ୩ଟି ଟେଷ୍ଟ, ୯ଟି ଦିନିକିଆ ଓ ୧୦ଟି  ଟି-୨୦ ମ୍ୟାଚ ଖେଳିଛନ୍ତି। ଏବର୍ଷ ସେ ୮୪୨ ରନ୍ କରିଛନ୍ତି। ତା ଭିତରେ ରହିଛି ୭ଟି ଅର୍ଦ୍ଧଶତକ। ତାଙ୍କର ଏବର୍ଷର ସର୍ବାଧିକ ସ୍କୋର ହେଉଛି ୮୯।

ଏଥିରେ ଅନ୍ୟ ଏକ ବ୍ୟତିକ୍ରମ ହେଉଛି, ବିରାଟ ଯେତେବେଳେ ଟସ୍ ଜିତୁଛନ୍ତି, ସେତେବେଳେ ସେ ମ୍ୟାଚ୍ ଜିତୁଛନ୍ତି। କିନ୍ତୁ ଆଡିଲେଡ୍ ମ୍ୟାଚରେ ସେ ଟସ୍ ଜିତି ହାରିଯାଇଛନ୍ତି। ପରାଜୟ ପରେ ବିରାଟ ଗଣମାଧ୍ୟମକୁ କହିଛନ୍ତି, ଏଥିରେ ମୁଁ ଏତେ ଭାଙ୍ଗିପଡ଼ିଛି ଯେ କିଛି କହିବାକୁ ଭାଷା ନାହିଁ। ଆମେ ପ୍ରଥମ ଦୁଇ ଦିନ ଭଲ ଖେଳିଛୁ। କିନ୍ତୁ ଗୋଟିଏ ଘଣ୍ଟାରେ ସବୁ ଓଲଟପାଲଟ ହୋଇଗଲା।

ମୋଟାମୋଟି ଭାବେ ସଫଳତାର ଶିଡି ଚଢୁଥିବା ବିରାଟ ୨୦୨୦ରେ ବିଫଳତାର ସ୍ୱାଦ ଚାଖିଛନ୍ତି। ତେବେ ପାରିବାରିକ ଜୀବନରେ ବିରାଟଙ୍କ ପାଇଁ ୨୦୨୦ ଏକ ସ୍ମରଣୀୟ ବର୍ଷ ହୋଇ ରହିବ। କାରଣ ସେ ବାପା ହେବାକୁ ଯାଉଛନ୍ତି।

ଅଷ୍ଟ୍ରେଲିଆର ଆଡିଲେଡ୍ ଠାରେ ଅନୁଷ୍ଠିତ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଭାରତୀୟ କ୍ରିକେଟ୍ ଟିମ୍। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟ୍ କରିଥିଲା ମାତ୍ର ୩୬ ରନ୍। ଭାରତୀୟ ଟିମ୍ ଏହା ପୂର୍ବରୁ କେବେବି ଏତେ କମ୍‌ ରନ୍ କରି ନଥିଲା। ୨୦୨୦ରେ ଡିସେମ୍ବର ୧୯ ତାରିଖରେ ଭାରତ ସର୍ବନିମ୍ନ ସ୍କୋର କରିଛି। ୨୦୧୬ ମସିହା ଡିସେମ୍ବର ଏହି ୧୯ ତାରିଖରେ ଭାରତ ତାର ସର୍ବାଧିକ ରନ୍ ସ୍କୋର କରିଥିଲା। ଚେନ୍ନାଇରେ ପଞ୍ଚମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ୭ ୱିକେଟ୍ ହରାଇ ୭୫୯ ରନ୍ କରି ଇଂନିସ୍ ଘୋଷଣା କରିଥିଲା। ସଂଯୋଗବଶତଃ ଡିସେମ୍ବର ୧୯ ତାରିଖ ଭାରତର ସର୍ବାଧିକ ଓ ସର୍ବନିମ୍ନ ସ୍କୋର ଯୋଡ଼ି ହୋଇଯାଇଛି।

You might also like