ଦୀର୍ଘମାସ ପରେ ଖୋଲିଲା ଏଇସବୁ ସିନେମା ହଲ
ଭୁବନେଶ୍ୱର: ୯ ମାସ ପରେ ବଡ଼ ସ୍କିନ୍ରେ ଫିଲ୍ମ ଦେଖିପାରିବେ ଦର୍ଶକ। ଜମିବ ସିଲଭର୍ ସ୍କିନ୍ ଓ ଡଲବି ସାଉଣ୍ଡର ମଜା। ଆଜିଠୁ ଖୋଲୁଛି ରାଜ୍ୟର କିଛି ସିନେମା ହଲ୍। ଭୁବନେଶ୍ୱର, କଟକ ସମେତ କିଛି ସହରର ସିନେମା ହଲରେ ବସି ଦର୍ଶକ ସିନେମା ଦେଖି ପାରିବେ ।
କୋଭିଡ କଟକଣାକୁ ଦୃଷ୍ଟିରେ ରଖି ସିନେମା ହଲକୁ ବନ୍ଦ ରଖାଯାଇଥିଲା। ଏବେ ରାଜ୍ୟରେ କରୋନା ପ୍ରଭାବ ହ୍ରାସ ପାଇବା ପରେ ଧୀରେ ଧୀରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି। କୋଭିଡ ଗାଇଡ ଲାଇନ ମଧ୍ୟରେ ମନ୍ଦିର, ସ୍କୁଲ ଖୋଲିବା ପରେ ଆଜି ରାଜ୍ୟରେ ସିନେମା ହଲ ବି ଖୋଲିଛି।
ତେବେ ସାମାଜିକ ଦୂରତା, ମାସ୍କ, ସାନିଟାଇଜକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ଲାଇନ୍ ଟିକେଟ୍ ଉପରେ ଗୁରୁତ୍ୱ ଦିଆଯିବା ସହ ଥିଏଟର୍ ଭିତରେ ବସିବା ବ୍ୟବସ୍ଥା ବି ବଦଳା ଯାଇଛି। ୫୦ ପ୍ରତିଶତ ସହ ସିନେମା ହଲ୍ ଚାଲିବାକୁ ଥିବା ଯୋଗୁ ହଲ୍ ଭିତରେ ଗୋଟିଏ ସିଟ୍କୁ ଛାଡ଼ି ଅନ୍ୟ ସିଟ୍ରେ ବସିବେ ଦର୍ଶକ।
ଏଥିସହ ପ୍ରତି ଶୋ ପରେ ଥିଏଟରକୁ ସାନିଟାଇଜ୍ କରାଯିବ। ପ୍ରଥମ ପର୍ଯ୍ୟାୟରେ ବକ୍ସ ଅଫିସ୍ରେ ନିକଟରେ ରିଲିଜ୍ ହୋଇଥିବା କିଛି ଫିଲ୍ମକୁ ପ୍ରଦର୍ଶନ କରାଯାଉଛି। ମାର୍ଚ୍ଚ ମାସରୁ କରୋନା ମହାମାରି ବ୍ୟାପିବା ପରେ ରାଜ୍ୟର ସବୁ ଥିଏଟର୍ ବନ୍ଦ ଥିଲା। ତେବେ କରୋନାରେ ବ୍ୟାପକ ଭାବେ କ୍ଷତି ସହିଥିବା ସିନେମା ଜଗତ ଓ ହଲ୍ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଆଜି ଭୁବନେଶ୍ୱରର ଏସ୍ପ୍ଲାନେଡ୍ ମଲ, କେଶରୀ ଥିଏଟର, ମହାରାଜ, ଆଇନକ୍ସ, ଡିଏନ ରେଙ୍ଗାଲିଆ ମଲ ଏବଂ ସିମ୍ଫୋନୀ ମଲର ସିନେମା ହଲ ଆଜି ଦର୍ଶକଙ୍କ ପାଇଁ ଆଜି ଖୋଲିଛି।
ଏ ନେଇ INOXର ଆଞ୍ଚଳିକ ନିର୍ଦ୍ଦେଶକ ଅମିତାଭ ଗୁହା ଠାକୁର୍ତ୍ତା କହିଛନ୍ତି, ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରୋଟୋକଲରେ ସାମାଜିକ ଦୂରତା, ୫୦% ସିଟ୍ ଆବଣ୍ଟନ, ସାନିଟାଇଜେସନ୍ ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଛି। କର୍ତ୍ତୃପକ୍ଷଙ୍କ ଦ୍ୱାରା ପର୍ଯ୍ୟାପ୍ତ ସ୍ୱଚ୍ଛତା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଯାହା ଦ୍ୱାରା ଦର୍ଶକମାନେ ଏକ ନିରାପଦ, ସ୍ୱଚ୍ଛତା ଏବଂ ନିର୍ଭରଯୋଗ୍ୟ ଅଭିଜ୍ଞତା ପାଇପାରିବେ।
ସୂଚନାଥାଉ କି, ରାଜ୍ୟରେ ୪ଟି INOX ସିନେମା ଥିବାବେଳେ ଗୋଟିଏ ରହିଛି ସିମ୍ଫୋନୀ ମଲ ଏବଂ ଅନ୍ୟଟି ରହିଛି ଡିଏନ ରେଙ୍ଗାଲିଆରେ। ଅନ୍ୟ ଦୁଇଟି ମଧ୍ୟରେ କଟକରେ ଥିବା ଏସ୍ଜିବିଏଲ ମଲ ଏବଂ ରାଜଧାନୀରେ ଥିବା ଭବାନୀ ମଲର ଆଇନକ୍ସ ଯଥାକ୍ରମେ ଶନିବାର ଓ ରିବାର ଖୋଲିବ ବୋଲି ଠାକୁର୍ତ୍ତା କହିଛନ୍ତି।
ସେତିକି ନୁହେଁ, ବାହାର ଖାଦ୍ୟ ହଲ ଭିତରକୁ ନେଇ ଯିବା ପାଇଁ ଅନୁମତି ନାହିଁ। ହଲ ତାଙ୍କ ମେନ୍ୟୁରେ ଇମ୍ୟୁନିଟ ବୁଷ୍ଟର ଖାଦ୍ୟ ସାମିଲ କରିଛନ୍ତି। ଏପରିକି ହଲ ବାହାରେ ଏକଧିକ ଲୋକ ଭିଡ ନ ଜମାଇବା ପଇଁ ନିବେଦନ କରାଯାଇଛି।
ତେବେ ସବୁଠାରୁ ଖୁସିର କଥା ହେଲା ପ୍ରାୟ ସବୁଠି ଟିକେଟ ମୂଲ୍ୟ ସମାନ ରହିଛି। ଅନଲାଇନ ବୁକିଂ ଏବଂ ଡିଜିଟାଲ ପେମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି।