ବଦଳିଲା ଚିଲିକାରେ ହେଲିକପ୍ଟର ଉଡାଣ ସମୟ

ପୁରୀ: ପୁରୀ ପୁଲିସ୍‌ ବିଭ୍ରାନ୍ତିକର ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଇମ୍ପାକୁ ଦିଆଯାଇଥିବା ସମନରେ ଉଡାଣ ସମୟ ବଦଳିଛି। ଗତ ୧୫ ତାରିଖ ଅପରାହ୍ନ ଗୋଟାଏ ୩୦ ମିନିଟ୍‌ରେ ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଉଡିଥିବା ଏଫ୍ଆଇଆରରେ କୁହାଯାଇଥିବା ବେଳେ ସମନରେ ରହିଛି ଆଉ ଗୋଟିଏ ସମୟ।

୧୫ ତାରିଖ ସକାଳ ୯ ଟା ୩୦ ମିନିଟରେ ଇମ୍ଫାର ହେଲିକପ୍ଟର ଚିଲିକାରେ ଉଡୁଥିବା ଦେଖାଯାଇଥିଲା ବୋଲି ଇମ୍ପାକୁ ଦିଆଯାଇଥିବା ସମନରେ ଉଲ୍ଲେଖ ରହିଛି। ଫଳରେ ପୁଲିସ୍‌ର ଦେଇଥିବା ତଥ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେପଟେ ପୁଲିସ୍‌ର ବିଭ୍ରାନ୍ତିକର ତଥ୍ୟକୁ ନେଇ ବୈଜୟନ୍ତ ଟ୍ୱିଟ କରିଛନ୍ତି।

ଓଡ଼ିଶା ପୁଲିସ୍‌ ଦ୍ୱାରା କରାଯାଇଥିବା ଏଫ୍ଆଇଆରରେ ସିପ୍ଲେନରୁ ହେଲିକପ୍ଟରକୁ ପରିବର୍ତ୍ତନ କରାଯାଇ ଚିଲିକାରେ ଅପରାହ୍ନ ଗୋଟାଏ ୩୦ ମିନିଟ୍‌ରେ ହେଲିକପ୍ଟର ଓହ୍ଲାଇଥିବା କୁହାଯାଇଥିଲା। କିନ୍ତୁ ସକାଳ ୮ଟା ୪୫ରୁ ୧୦ ଟା ୨୮ ଏବଂ ଅପରାହ୍ନ ୧୨ ଟା ୫୦ରୁ ଗୋଟାଏ ୨୬ରେ ଭୁବନେଶ୍ୱରରେ ଅବତରଣ କରିସାରିଥିଲା। ତେଣୁ ବର୍ତ୍ତମାନ ଓଡ଼ିଶା ପୁଲିସ୍‌ ସମୟ ପରିବର୍ତ୍ତନ କରି ୯ ଟା ୩୦ କରିଛି। କିନ୍ତୁ ପୂର୍ବତନ ସାଂସଦ ସେହି ସମୟରେ ପୁରୀରେ ଥିବା ଏକ ଫୋଟ ଟ୍ୱିଟରେ ସେୟାର କରିଛନ୍ତି। ଫଳରେ ବୈଜୟନ୍ତଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ସନ୍ଦେହ କରାଯାଉଛି।

ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗ ମାମଲାରେ ପୁରୀ ପୁଲିସ୍‌ ନୋଟିସ୍ କରଥିଲା। ପାଇଲଟଙ୍କ, ଦୁଇ ସହଯାତ୍ରୀ ଓ ଇମ୍ଫା ଆଭିଏସନକୁ ନୋଟିସ୍ କରାଯାଇଥିଲା। ହେଲିକପ୍ଟର ଉଡ଼ାଣ ସଂପର୍କରେ ବିସ୍ତୃତ ଭାବରେ ତଥ୍ୟ ଦେବାକୁ ନୋଟିସ୍‌ରେ ଉଲ୍ଲେଖ କରାଯାଇଥିଲା। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏକ ପ୍ରେସ୍ ମିଟ୍‌ରେ କହିଥିଲେ, ଚିଲିକାରେ ହେଲିକପ୍ଟର ଉଡ଼ିଥିବା ଜଣାପଡ଼ିଛି। ଏ ସଂପର୍କରେ ଅଧିକ ତଥ୍ୟ ଦେବାକୁ ନୋଟିସ୍ କରାଯାଇଥିଲା। ସେପଟେ ଚିଲିକା ଉପରେ କିଏ ହେଲକପ୍ଟର ଉଡାଇଲା ବା ଓହ୍ଲାଇଲା, ତାହା ହେଲିକପ୍ଟର ନା ସିପ୍ଲେନ ତାହା ସ୍ପଷ୍ଟ ହୋଇନଥିଲେ ବି ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ବୈଜୟନ୍ତ ପଣ୍ଡାଙ୍କ ହାଙ୍ଗରକୁ ପ୍ରଶାସନ ଯେଭଳି ତରବରିଆ ଭାବେ ସିଲ୍ କରିଛି, ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି।

ଅଭିଯୋଗ ଅନୁଯାୟୀ ଗତ ୧୫ ତାରିଖ ଅପରାହ୍ନ ଗୋଟାଏ ୩୦ ମିନିଟ୍‌ରେ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକା ଉପରେ ବେଆଇନ ଭାବେ ଉଡ଼ାଣ କରିଥିଲା। କିନ୍ତୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ ଦିନ ଗୋଟାଏ ୨୬ରେ ବୈଜୟନ୍ତଙ୍କ ହେଲିକପ୍ଟର ବିମାନବନ୍ଦରରେ ଅବତରଣ କରିସାରିଥିଲା।

 

You might also like