ବିଦ୍ୟୁତ୍‌ ସଂଯୋଗ କାଟିବାକୁ ଯାଇ ହଟହଟା ହେଲେ କର୍ମଚାରୀ

ଖୋର୍ଦ୍ଧା: ବକେୟା ବିଦ୍ୟୁତ୍‌ ବିଲ୍‌ ପୈଠ କରି ପାରି ନ ଥିବା ଉପଭୋକ୍ତାଙ୍କ ଭାଗ୍ୟରେ ଆଜିଠୁ ଅନ୍ଧାର ଲେଖି ଦେଇଛି ସେସୁ। ବିଭିନ୍ନ ସ୍ଥାନରେ ଆଜିଠୁ କଟା ଯାଉଛି ବଦ୍ୟୁତ୍‌ ସଂଯୋଗ। ସେସୁର ଏପରି କାର୍ଯ୍ୟକଳାପକୁ ନେଇ ସାଧାରଣରେ ତୀବ୍ର  ଉତ୍ତେଜନା ଦେଖାଦେଇଛି। କେତେକ ସ୍ଥାନରେ ଲାଇନ କାଟିବାକୁ ଯାଇ ବିଦ୍ୟୁତ କର୍ମଚାରୀ ନାକେଦମ୍‌ ହୋଇଥିବା ଦେଖିବାକୁ ମିଳିଛି।

ଆଜି ଖୋର୍ଦ୍ଧା ଗୁରୁଜଙ୍ଗରେ ଲାଇନ୍ କାଟିବାକୁ ଯାଇଥିଲେ ୫ ଜଣିଆ ସ୍କ୍ୱାଡ୍ । ଜଣେ ପାନ ଦୋକାନୀର ବିଦ୍ୟୁତ୍ ବିଲ୍ ବାବଦ ୨୧ ହଜାର ଟଙ୍କା ବକେୟା ଥିବାରୁ ଲାଇନ୍ କାଟିବାକୁ ଯାଇଥିଲେ ଏହି ସ୍କ୍ୱାଡ। ହେଲେ ଲାଇନ୍ କାଟିବା ବେଳେ ଏଠାରେ ଅପ୍ରୀତିକର ପରିସ୍ଥିତି ଦେଖା ଦେଇଥିଲା। ଉକ୍ତ ପାନ ଦୋକାନୀଙ୍କ ସହ ସ୍ଥାନୀୟ ଲୋକେ କର୍ମଚାରୀଙ୍କୁ ଅଟକ ରଖିଥିଲେ । ଗ୍ରାମରେ ଉତ୍ତେଜନା ଲାଗି ରହିଛି।

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ସେମାନେ ଆଗରୁ ସୂଚନା ଦେଇ ନ ଥିଲେ। ୪ ଦିନ ତଳେ ନୋଟିସ ଦେଇ  ହଠାତ୍‌ ଆସି ୨୧ ହଜାର ଟଙ୍କା ବାକି ଅଛି କହି ଲାଇନ୍‌ କାଟିଦେଲେ। ୪ ଦିନ ଭିତରେ ଏତେ ଟଙ୍କା କେଉଁଠୁ ଯୋଗାଡ କରିବୁ ବୋଲି ପ୍ରଶ୍ନ କରିଛନ୍ତି ଜଣେ ପାନ ଦୋକାନୀ। ତେବେ ପରୀକ୍ଷା ପାଖରେ ଥିବାରୁ ବିଦ୍ୟୁତ ସଂଯୋଗ ନ କାଟି ବକେୟା ବିଲ୍‌ ପୈଠ ପାଇଁ ଅଧିକ ସମୟ ଦିଆଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ।

ସୂଚନା ଥାଉ କି, ପୂର୍ବରୁ ସେସୁ କହି ଥିଲା ଯେ, ଜାନୁଆରୀ ୧୬ତାରିଖରୁ ବିଲ୍ ଖିଲାପକାରୀ ଗ୍ରାହକଙ୍କ ବିଦ୍ୟୁତ ସଂଯୋଗ କଟାଯିବ। ୨୦୧୯ ନଭେମ୍ବର ଶେଷ ସୁଦ୍ଧା ପ୍ରାୟ ୭ ଲକ୍ଷ ଗ୍ରାହକଙ୍କ ଉପରେ ୧୯୭୧କୋଟି ଟଙ୍କା ବାକି ରହିଛି। ବିଦ୍ୟୁତ ସଂଯୋଗ କାଟିବା ପାଇଁ ଚେତାବନୀ ଦିଆଯିବା ପରେ ପ୍ରାୟ ୧ଲକ୍ଷ ଗ୍ରାହକ ସେମାନଙ୍କର ବିଦ୍ୟୁତ ବକେୟା ପୈଠ କରିଛନ୍ତି।

ବହୁସଂଖ୍ୟକ ଗ୍ରାହକ ମଧ୍ୟ ସେମାନଙ୍କର ବକେୟା ପୈଠ ପାଇଁ ଅଧିକ କିଛି ସମୟ ଦେବାକୁ ଅନୁରୋଧ କରିଥିଲେ। ବହୁ ଗ୍ରାହକ ବିଦ୍ୟୁତ ବିଲରେ ତ୍ରୁଟି ଥିବାରୁ ତାକୁ ସଂଶୋଧନ କଲେ ବିଲ୍ ପୈଠ କରିବେ ବୋଲି କହିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ସେସୁ ପ୍ରଥମ ପର୍ଯ୍ୟାୟରେ ଖିଲାପୀ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକର ବିଦ୍ୟୁତ ସଂଯୋଗ କରିବ ବୋଲି ସୂଚନା ଦେଇଥିଲା।

 

You might also like