ଭୋଟର ତାଲିକା ସଂଶୋଧନ ପାଇଁ ଦିନ ଧାର୍ଯ୍ୟ

ଭୁବନେଶ୍ୱର: ୨୦୧୮ ନୁହେଁ,୨୦୧୯ରେ ହେବ ସାଧାରଣ ନିର୍ବାଚନ। ନିର୍ବାଚନ ପାଇଁ ଆଜିଠାରୁ ଏକ ପ୍ରକାର ବିଗୁଲ୍‌ ବାଜିଛି। ଏହା ସହିତ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟର ତାଲିକା ସଂଶୋଧନ ନେଇ ଦିନ ମଧ୍ୟ ଧାର୍ଯ୍ୟ ହୋଇଛି। ୧ ସେପ୍ଟେମ୍ବର ୨୦୧୮ ରେ ଚିଠା ତାଲିକା ପ୍ରକାଶ କରାଯିବ। ସେହିପରି ଏହି ଦିନଠାରୁ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। ଆବେଦନ ଗ୍ରହଣ କରିବାର ଶେଷ ତାରିଖ ୩୧  ଅକ୍ଟୋବର ୨୦୧୮ ଧାର୍ଯ୍ୟ କରାଯାଇଛି।

ଦାବି ଓ ଆପତ୍ତି ଗ୍ରହଣ କରାଯିବା ପରେ ୩୦ ନଭେମ୍ବର ୨୦୧୮ ରେ ଏହାର ଫଇସଲା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଜାନୁଆରୀ ୪ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଭୋଟର ତାଲିକା ପ୍ରକାଶ ପାଇବା ପରେ ହିଁ ନିର୍ବାଚନ ତାରିଖ ଘୋଷଣା ହେବ। ଜାନୁଆରୀ ୪ ପରେ ନିର୍ବାଚନ ତାରିଖ ଘୋଷଣା ହେବା ନେଇ ସମ୍ଭାବନା ରହିଛି।

ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ପ୍ରଥମ ଥର ପାଇଁ  vvpat ମେସିନ ବ୍ୟବହାର କରାଯିବ ବୋଲି ଭାରତୀୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି।

ଚଳିତ ବର୍ଷକୁ ସୁଗମ ମତଦାନ ବର୍ଷ ରୂପେ ଘୋଷଣା କରାଯାଇଛି। ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ନାମ ଭୋଟର ତାଲିକାରେ ଯୋଗ କରାଯିବ ଏବଂ ସେମାନଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସଂଶ୍ଳିଷ୍ଟ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ। ଏଥି ନିମନ୍ତେ ମତଦାନ କେନ୍ଦ୍ରରେ ରାମ୍ପ୍, ହ୍ୱିଲ ଚେୟାର, ଏନ୍‌ଏସ୍‌ଏସ୍/ସ୍କାଉଟ୍‌/ଗାଇଡ୍‌ ଭଲ୍ୟୁଣ୍ଟର ଆଦିର ବ୍ୟବସ୍ଥା କରାଯାଛି।

You might also like