କରୋନା ମୁକାବିଲା ଲାଗି ୩ଟି ଜୋନରେ ଭାଗ ହୋଇପାରେ ଦେଶ

ନୂଆଦିଲ୍ଲୀ: କରୋନା ମୁକାବିଲା କେନ୍ଦ୍ର ସରକାର ଦେଶର ବିଭିନ୍ନ ଅଞ୍ଚଳକୁ ରେଡ୍, ଅରେଞ୍ଜ ଏବଂ ଗ୍ରୀନ ଜୋନରେ ଭାଗ କରିପାରନ୍ତି। କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଦେଖି କେନ୍ଦ୍ର ସରକାର ଏଭଳି ଜୋନ୍ ତିଆରି କରିପାରନ୍ତି।

କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୪ରେ ପ୍ରଥମ ଥର ଲକଡାଉନ୍ ଘୋଷଣା କରିଥିଲେ। ଏହି ୨୧ ଦିନିଆ ଲକଡାଉନ୍ ଅବଧି ଏପ୍ରିଲ ୧୪ରେ ଶେଷ ହେଉଛି।

ଅନ୍ୟପଟେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ନେଇ କିଛି ସ୍ପଷ୍ଟ କରି ନାହାନ୍ତି। ଶନିବାର ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ।

ସୂଚନା ଅନୁସାରେ, ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରୁ ଅଧିକ ଥିବ ସେହି ସ୍ଥାନକୁ ରେଡ୍ ଜୋନ ବୋଲି ଘୋଷଣା କରାଯାଇପାରେ ।

ସେହିପରି ଯେଉଁଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ରୁ କମ୍ ଥିବ ଏବଂ ସଂକ୍ରମଣ ଆଶଙ୍କା ବି କମ୍ ଥିବ ସେହି ସ୍ଥାନକୁ ଅରେଞ୍ଜ ଜୋନ୍ ବୋଲି ଘୋଷଣା ହୋଇପାରେ। ଏହି ଜୋନରେ ସୀମିତ ପରିବହନ ସେବା, ଚାଷ କାମ କରିବାକୁ ସରକାର ଅନୁମତି ଦେଇପାରନ୍ତି।

ସେହିପରି ଗ୍ରୀନ ଜୋନରେ ଅଳ୍ପ କିଛି କଟକଣା ରହିବା ସହିତ କରୋନା ସଂକ୍ରମଣକୁ ରୋକିବା ପାଇଁ ମୌଳିକ ନିୟମ ମାନିବାକୁ ପଡ଼ିବ ବୋଲି ସୂଚନା ରହିଛି। 

ଶନିବାର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ବୈଠକ କରିଥିଲେ। ଏହି ସମୟରେ ଲକଡାଉନ୍ ଅବଧି ବୃଦ୍ଧି କରିବା ପାଇଁ କେନ୍ଦ୍ରକୁ ବିଭିନ୍ନ ରାଜ୍ୟ ପ୍ରସ୍ତାବ  ଦେଇଥିଲେ।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କେନ୍ଦ୍ର ସରକାର ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ଅବଧି ବଢ଼ାଇବାକୁ ଚିନ୍ତା କରୁଛନ୍ତି। ଖୁବଶୀଘ୍ର ଦେଶବାସୀଙ୍କୁ ସମ୍ବୋଧନ କରି ଏ ସଂପର୍କରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର ସମ୍ଭାବନା ରହିଛି।

ପୂର୍ବରୁ ଓଡ଼ିଶା ଓ ପଞ୍ଜାବ ଏପ୍ରିଲ୍ ୩୦ ଯାଏ  ଲକ୍‌ଡାଉନ୍‌ ଅବଧି ଘୋଷଣା କରି ସାରିଛନ୍ତି।

You might also like