• ଲକଡାଉନ୍‌ ଯୋଗୁଁ ପ୍ରଭାବିତ କୁମ୍ଭକାର ପରିବାର
  • ନିର୍ମିତ ସାମଗ୍ରୀ ବିକ୍ରି ନହୋଇ ପଡ଼ିରହିଛି
  • ସଙ୍କଟରେ ରାୟଗଡା ଅମଳାଭଟ୍ଟା ଗାଁର କୁମ୍ଭକାର
  • ଦୁର୍ଦ୍ଦିନରେ କେନ୍ଦୁଝର ଘଟଗାଁ ବାଟ ହରିଚନ୍ଦନପୁର ବାସିନ୍ଦା
  • ତାଲାବନ୍ଦ ପାଇଁ ବିକ୍ରି ହୋଇପାରୁନି ଟେରାକୋଟା ସାମଗ୍ରୀ

ରାୟଗଡା(ମନୋଜ ମହାପାତ୍ର): କରୋନା ପାଇଁ ତାଲା ବନ୍ଦର ସିଧା ପ୍ରଭାବ ପଡିଛି କୁମ୍ଭକାର ଏବଂ ଟେରାକୋଟା କାରିଗରଙ୍କ ପରିବାର ଉପରେ। ଲକଡାଉନ୍‌ ଛଡାଇ ନେଇଛି କୁମ୍ଭକାରଙ୍କ ଜୀବିକା। ବିକ୍ରିବଟା ଅଭାବରୁ ଏବେ ସଙ୍କଟରେ ପଡିଛନ୍ତି ରାୟଗଡା ଜିଲ୍ଲାର କୁମ୍ଭକାର ପରିବାର। ଏପଟେ କେନ୍ଦୁଝର ଘଟଗାଁ ବ୍ଲକର ବାଟ ହରିଚନ୍ଦନପୁର ଗାଁର ଅନେକ ଟେରାକୋଟା କାରିଗର ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି।

ରାୟଗଡା ସଦର ବ୍ଲକରେ ଥିବା କୁମ୍ଭକାରଙ୍କ ଗାଁ ଅମଳାଭଟ୍ଟା। ଏହି ଗାଁରେ ରୁହନ୍ତି ପ୍ରାୟ ୮୦ କୁମ୍ଭକାର ପରିବାର। ଏସବୁ ପରିବାର ସୁନ୍ଦର ସୁନ୍ଦର ହାଣ୍ଡି, ମାଠିଆ, ଫୁଲକୁଣ୍ଡ, ଦୀପ ଆଦି ତିଆରି କରି ପରିବାରର ଗୁଜରାଣ ମେଣ୍ଟାନ୍ତି। ହେଲେ କରୋନା ପାଇଁ ଲକଡାଉନ, ସଟଡାଉନ ଭିତରେ ଏମାନେ ପେଶି ଗଲେଣି। ନାଁ ବାହାରକୁ ବିକ୍ରି ପାଇଁ ଯାଇପାରୁଛନ୍ତି, ନାଁ କେହି ଗାଁକୁ ଆସି କିଣୁଛି ମାଟିରେ ତିଆରି ସାମଗ୍ରୀ। ଏଥିପାଇଁ ଏମାନଙ୍କ ଜୀବନ ଜୀବିକା ଦୋଛକିରେ। ଫଳରେ ମାଟି ହାଣ୍ଡି ବିକ୍ରି ହୋଇନପାରି ପଡିରହିଛି। କାଁଭାଁ ବିକ୍ରି ହେଉଛି ହାଣ୍ଡି। ଫଳରେ ଆର୍ଥିକ ସ୍ଥିତି ଦୋହଲି ଗଲାଣି। ଟଙ୍କା ବଦଳରେ କୁମ୍ଭକାର ପରିବାର ମାଟି ହାଣ୍ଡି ଦେଇ ଆମ୍ବ କିଣୁଥିବା ଦେଖିବାକୁ ମିଳିଛି।

ଏପଟେ କେନ୍ଦୁଝର ଘଟଗାଁ ବ୍ଲକର ବାଟ ହରିଚନ୍ଦନପୁର ଗାଁ ଲୋକଙ୍କ ମଧ୍ୟ ସମାନ ଅବସ୍ଥା। ଭାବିଥିଲେ ଚଇତି ପର୍ବରେ ଟେରାକୋଟା ସାମଗ୍ରୀ ବିକ୍ରି କରି ଭଲ ରୋଜଗାର କରିବେ। ଧାର କରଜ କରି ବହୁ ଜିନିଷ ତିଆରି କରିଥିଲେ। ହେଲେ ଲକଡାଉନ୍‌ ଯୋଗୁ ଏମାନଙ୍କ ଆଶା ଆଶାରେ ହିଁ ରହିଗଲା। ଲକଡାଉନ୍‌ ପାଇଁ ବିକ୍ରି ହୋଇପାରିଲାନି ଟେରାକୋଟା ସାମଗ୍ରୀ। ଦୋକାନ ବଜାର ସବୁ ବନ୍ଦ। ଛୁଆ ପିଲାଙ୍କ ପାଠପଢା ସାଙ୍ଗକୁ ପରିବାର ପ୍ରତିପୋଷଣ, ତା ସାଙ୍ଗକୁ ଋଣ ଚିନ୍ତା ଏମାନଙ୍କୁ ଘାରିଛି ଲକଡାଉନ  ଖୋଲିଲେ ଆଗକୁ ଭଲ ବିକ୍ରି ବଟା ଆଶାରେ କିଛି ପରିବାର ପୁଣି କାମରେ ଲାଗିପଡିଲେଣି।କେବେଳ କୁମ୍ଭକାର କିମ୍ବା ଟେରାକୋଟା କାରିଗର ନୁହଁନ୍ତି, କରୋନା ପାଇଁ ଏମିତି ଅନେକ ପରିବାର ଏବେ ସମସ୍ୟା ଘେରରେ ରହିଛନ୍ତି। ତେବେ ମୋଟ୍‌ ଉପରେ କହିବାକୁ ଗଲେ, ତାଲାବନ୍ଦ ଲାଗି ଅନେକ ପରିବାରଙ୍କ ଅବସ୍ଥା ଏମିତି ହେଲାଣି। କେମିତି ଚଳିବେ ଓ କଣ ଖାଇବେ ସେ ଚିନ୍ତାରେ ରାଜ୍ୟର ଅନେକ ପରିବାର ଅଛନ୍ତି। ଏବେ କେବଳ ସରକାରୀ ସାହାଯ୍ୟକୁ ଅପେକ୍ଷା କରି ବସିଛନ୍ତି।

Other Stories