ହୁ ହୁ ହୋଇ ଜଳିଗଲା ଚଳନ୍ତା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲିଗୁଡ଼ା(ଅଜିତ୍ କୁମାର ନାୟକ) : ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲେ ଯାତ୍ରୀ । ଆଜି ସକାଳେ କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକରେ ହୁ ହୁ ହୋଇ ଜଳିଯାଇଛି ଯାତ୍ରୀବାହୀ ବସ୍ । ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ‘ରୁଦ୍ରକାଳୀ’ ନାମକ ଏହି ଘରୋଇ ବସରେ ନିଆଁ ଲାଗି ଯାଇଥିଲା । ପ୍ରାୟ ୨୫ରୁ ୩୦ଜଣ ଯାତ୍ରୀ ଥିବା ଏହି ବସ୍‌ଟି କଞ୍ଜାମେଣ୍ଡି ଛକ ଦେଇ ଯାଉଥିବା ବେଳେ ବସ୍‌ରୁ  ହଠାତ ଧୂଆଁ ବାହାରିବା ଦେଖି ଡ୍ରାଇଭର୍‌ ବସ୍‌ ଅଟକାଇ ଚିତ୍କାର କରିଥିଲେ । ତୁରନ୍ତ ସତର୍କ କରାଇବା ସହ ଯାତ୍ରୀଙ୍କୁ ବସରୁ ଓହ୍ଲାଇ  ଦେଇଥିଲେ। ସୌଭାଗ୍ୟବଶତଃ ବସରେ ବସିଥିବା ଯାତ୍ରୀଙ୍କର  ସମସ୍ତଙ୍କ ଜୀବନ ବଞ୍ଚିଯାଇଛି ।

ସୂଚନା ଅନୁସାରେ ଏମ. ରାମପୁର ରୁ  ଭଞ୍ଜନଗର ଯାଉଥିବା ବସଟି ୫୯ ନମ୍ବର ଜାତୀୟ ରାଜପଥ କଂଜାମେଣ୍ଡି ଘାଟି ପାଖରେ ହଠାତ୍ ହୁ ହୁ ହୋଇ ଜଳିଉଠିଥିଲା। ହଠାତ ନିଆଁ ଲାଗିବା ପରେ ବସ୍‌ରେ ଥିବା ଯାତ୍ରୀ ଡରିଯାଇଥିଲେ । ଉପସ୍ଥିତ ବୁଦ୍ଧି ଖଟାଇ ବଡ଼ ଧରଣର କିଛି ଅଘଟଣ ପୂର୍ବରୁ  ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ବସରେ ନିଆଁ ଲାଗିଲା କାରଣ ଜଣାପଡିନାହିଁ । ଯାନ୍ତ୍ରିକ ତ୍ରୁଟି ଯୋଗୁ ବସ୍‌ଟି ଜଳି ଯାଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ।


ସେପଟେ କଟକ-ପାରାଦୀପ ପନ୍ଦର ନମ୍ବର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଏକ ଦଶ ଚକିଆ ଟ୍ରକ ଛିଡା ହୋଇଥିବା ବେଳେ କଟକ ପଟୁ ପାରାଦୀପ ଅଭିମୁଖେ ଯାଉଥିବା ଏମଏଚ ୦୩ ଏଏମ ୬୦୨୪ ନମ୍ବର ବିଶିଷ୍ଟ ହୁଣ୍ଡାଇ ସାଣ୍ଟ୍ରୋ କାର୍ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଖାଇଥିଲା । କାରରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୄତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଜଣଙ୍କ ମହିଳାଙ୍କୁ କୁଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

You might also like