‘ସଞ୍ଜିବନୀ’ ପାଇଁ ଭାରତକୁ ବ୍ରାଜିଲର ପ୍ରଂଶସା

ନୂଆଦିଲ୍ଲୀ: ମହାମାରୀ କରୋନାର କୌଣସି ପ୍ରତିଷେଧକ କିମ୍ବା ଔଷଧ ବାହାରି ନ ଥିବାବେଳେ ଏଭଳି ସମୟରେ ଆକ୍ରାନ୍ତଙ୍କ ପାଇଁ ସଞ୍ଜିବନୀ ପାଲଟିଛି ଆଣ୍ଟି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍। ଯଦିଓ ଏହି ଔଷଧ କରୋନାର ପ୍ରତିଷେଧକ କିମ୍ୱା ଔଷଧ ନୁହେଁ, ହେଲେ କିଛି ଆକ୍ରାନ୍ତ ଏହି ଔଷଧରେ ସୁସ୍ଥ ହେଉଛନ୍ତି। ଭାରତରେ ପ୍ରସ୍ତୁତ ହେଉଥିବା ଏହି ଔଷଧ ଉପରେ ଏବେ ଅନ୍ୟ ଦେଶ ଗୁରୁତ୍ୱ ଦେଇଛନ୍ତି। ପ୍ରଥମେ ଆମେରିକା ଆଉ ଏବେ ବ୍ରାଜିଲ୍।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲଶୋନାରୋ, ଏକ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ସପ୍ଲାଏ ପାଇଁ ଭାରତକୁ ପ୍ରଶଂସା କରିଛନ୍ତି। ସବୁଠାରୁ ଖାସ କଥା ହେଲା, ବ୍ରାଜିଲ୍ ଭାରତର ଏହି ଔଷଧକୁ ପ୍ରଭୁ ହନୁମାନ ଆଣିଥିବା ସଞ୍ଜିବନୀ ସହ ତୁଳନା କରିଛି।

ରାମାୟଣକୁ ଯୋଡ଼ି ଜାଇର କହିଛନ୍ତି, ଯେଉଁଭଳି ଭାବରେ ରାମାୟଣରେ ପ୍ରଭୁ ହନୁମାନ ହିମାଳୟରୁ ସଞ୍ଜିବନୀ ଔଷଧ ଆଣି ଭଗବାନ ରାମଙ୍କ ଭାଇ ଲକ୍ଷ୍ଣଣଙ୍କ ଜୀବନ ବଞ୍ଚାଇଥିଲେ, ସେହିଭଳି ଭାବରେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାହାଯ୍ୟ ବ୍ରାଜିଲ୍ ପାଇଁ ସଞ୍ଜିବନୀ ଭଳି କାମ କରିପାରେ।

ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ଦେବାପାଇଁ ଭାରତ ଅନୁମତି ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି ବହୁତ ଭଲ ଓ  ମହାନ ନେତା ବୋଲି କହିଛନ୍ତି ଟ୍ରମ୍ପ।

ସାରା ବିଶ୍ୱରେ ୨୦୯ଟି ଦେଶକୁ ମହାମାରୀ କରୋନା ବ୍ୟାପିଛି। ବ୍ରାଜିଲରେ ୧୪,୦୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୮ ଜଣଙ୍କର ମୃତ୍ୟୁ ଘଟିଛି। ୧୨୭ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ୧୩, ୨୩୪ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି।

You might also like