ପୁଣି ବିଗ୍‌ ବି ବଢ଼ାଇଲେ ସହଯୋଗର ହାତ; ପୋଲାଣ୍ଡରୁ କିଣିଲେ ଅମ୍ଳଜାନ, ବିଏମ୍‌ସିକୁ ଦାନ କଲେ ଭେଣ୍ଟିଲେଟର

ମୁମ୍ବାଇ: କରୋନା ଭାଇରସ୍ ଏହି ଦ୍ୱିତୀୟ ଲହର ପୁରା ଦେଶକୁ ଦୋହଲାଇ ଦେଇଛି । ଦିନକୁ ଦିନ କରୋନା ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ମଧୁମେହ, ରକ୍ତଚାପ ଏବଂ ହୃଦ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବା ବେଳେ ଏବେ ବ୍ଲାକ୍‌ ଫଙ୍ଗସ୍‌ ରୋଗ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି । ଏଭଳି ପରିସ୍ଥିତିରେ ଅନେକ ବଲିଉଡ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଦେଶକୁ ସାହଯୋଗର ହାତ ବଢ଼ାଇଛନ୍ତି । ଶତାବ୍ଦୀର ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଲୋକଙ୍କୁ ସହଯୋଗ କରୁଥିବା ନଜର ଆସିଛନ୍ତି । ବିଗ୍ ବି ମଧ୍ୟ ଦେଶକୁ ଏହି କଠିନ ପରିସ୍ଥିତିରୁ ବାହାରିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ।

ନିକଟରେ ଅମିତାଭ ବଚ୍ଚନ ଦିଲ୍ଲୀ ଶିରୋମାନି ଗୁରୁଦ୍ୱାର ପରିଚାଳନା କମିଟିକୁ ଦୁଇ କୋଟି ଟଙ୍କା ଦାନ କରିଥିଲେ । ଏହି କମିଟି ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାଯ୍ୟ ସହଯୋଗ କରୁଥିବା ବେଳେ କରୋନା ରୋଗୀଙ୍କୁ ମଧ୍ୟ ମେଡିକାଲ  ସୁବିଧା ଯୋଗାଇବାରେ ସାହାଯ୍ୟ କରୁଛି ।

ଏବେ ପୁଣି ଅମିତାଭ ବଚ୍ଚନ କହିଛନ୍ତି ଯେ, ସେ ଏବେ ପୋଲାଣ୍ଡରୁ ୫୦ ଅମ୍ଳଜାନ କଣ୍ଟେନର କିଣିଛନ୍ତି । ଗୁରୁବାର ନିଜ ବ୍ଲଗରେ ସେ ଏନେଇ ସୂଚନା ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ ଏହି ଅମ୍ଳଜାନ କେବଳ କରୋନା ରୋଗୀଙ୍କୁ ସହଯୋଗ କରିବା ପାଇଁ ସେ ମଗାଇଛନ୍ତି ।

କେବଳ ଏତିକି ନୁହେଁ, ଅମିତାଭ ବଚ୍ଚନ କହିଛନ୍ତି ଯେ, ପୋଲାଣ୍ଡର ରାକ୍ଲା ସହରରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ତାଙ୍କୁ ବ୍ୟକ୍ତିଗତ ଜରୁରୀକାଳୀନ ପରିସ୍ଥିତି ପାଇଁ ପୋର୍ଟେବଲ୍ ଅମ୍ଳଜାନ ପଠାଇବାକୁ କହିଥିଲେ, କିନ୍ତୁ ସେ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ବିଗ୍ ବି କହିଥିଲେ ଯେ, ସେ ଏହି ଅମ୍ଳଜାନ କଣ୍ଟେନର ସେହି ଅନୁଷ୍ଠାନଗୁଡିକୁ ଦାନ କରିବେ ଯେଉଁଠାରେ ଏହା ନିହାତି ଆବଶ୍ୟକ । ଏହା ସହିତ ସେ ମାଲ ପରିବହନ ଶୁଳ୍କ ଛାଡ କରିଥିବାରୁ ପୋଲାଣ୍ଡ ଏୟାରଲାଇନ୍ସକୁ ଧନ୍ୟବାଦ ଜଣାଇଛନ୍ତି ।

କେବଳ ଏତିକି ନୁହେଁ, ଅମିତାଭ ବଚ୍ଚନ କରୋନାର ଏଭଳି ଜରୁରୀକାଳୀନ ପରିସ୍ଥିତିରେ ମୁମ୍ବାଇ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ରଖିଛନ୍ତି । ସେ ମୁମ୍ବାଇର ମ୍ୟୁନିସିପାଲିଟି ହସ୍ପିଟାଲକୁ ୧୦ଟି ଭେଣ୍ଟିଲେଟର ପ୍ରଦାନ କରିଛନ୍ତି । ଏହି ବିଷୟରେ ସୂଚନା ଦେଇ ବିଗ୍ ବି ଲେଖିଛନ୍ତି, ‘ଯେତେବେଳେ ମୁଁ ବିଏମସିକୁ କହିଥିଲି ଯେ, ମୁଁ କିଛି ଦାନ କରିବାକୁ ଚାହୁଁଛି,  ସେତେବେଳେ ସେ ମୋତେ ଟଙ୍କା ବଦଳରେ କିଛି ଭେଣ୍ଟିଲେଟର ଦାନ କରିବାକୁ କହିଥିଲେ । ଏହାପରେ ମୁଁ ୨୦ଟି ଭେଣ୍ଟିଲେଟର ଅର୍ଡର କରିଥିଲି । ସେଥିମଧ୍ୟରୁ ୧୦ଟି ପହଞ୍ଚିସାରିଛି ଏବଂ ଅବଶିଷ୍ଟ ୧୦ଟି ଚଳିତ ମାସ ୨୫ ତାରିଖ ସୁଦ୍ଧା ପହଞ୍ଚିବ ବୋଲି ସୂଚନା ରହିଛି ।

You might also like