ମମତାଙ୍କ ମହାମେଳିକୁ କାଉଣ୍ଟର କରିବାକୁ ବିଜେପିର ଷ୍ଟ୍ରାଟେଜି

ଭୁବନେଶ୍ୱର: ମୋଦି ବିରୋଧୀ ମହାମେଳିକୁ ଟକ୍କର ଦେବାକୁ ବିଜେପିର କାଉଣ୍ଟର ଆଟାକ। ଲୋକଙ୍କ ପାଖରେ ମହାଗଠବନ୍ଧନ ପାଇଁ ହାତ ମିଶାଇଥିବା ନେତାଙ୍କ ଅସଲ ଉଦ୍ଦେଶ୍ୟ ପହଁଞ୍ଚାଇବା ପାଇଁ ଯୋଜନା କରିଛି ବିଜେପି। ଏଥିପାଇଁ ଦଳର ରଣନୀତି ଅନୁସାରେ ଆଜି ଭୁବନେଶ୍ୱରରେ ପହଁଞ୍ଚିଥିଲେ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୂପିନ୍ଦର ଯାଦବ।

ଏକ ସାମ୍ବାଦିକ ସମ୍ମିଳନୀରେ ଯାଦବ ଅଭିଯୋଗ କରିଛନ୍ତି ଯେ ମୋଦିଙ୍କ ଭୟରେ ନିଜ ସ୍ୱାର୍ଥ ପାଇଁ ଗୋଟିଏ ଛତା ତଳେ ଏକାଠି ହୋଇଛନ୍ତି  ଅନେକ ଦୁର୍ନୀତିଗ୍ରସ୍ତ ନେତ॥ ମମତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ମହାଗଠବନ୍ଧନ ପ୍ରକିୟାରେ ନୀତି ଓ ନିୟତି ଠିକ୍ ନାହିଁ ବୋଲି ଅଭିଯୋଗ କରିବା ସହ ଏହା ନେତୃତ୍ୱ ନେବାକୁ ନେତା କେହି ନାହାଁନ୍ତି ବୋଲି କଟାକ୍ଷ କରିଛନ୍ତି ଭୂପିନ୍ଦର।

ମୋଦି ସରକାର ଓଡ଼ିଶା ପାଇଁ ଗତ ସାଢ଼େ ୪ ବର୍ଷରେ କ’ଣ କରିଛନ୍ତି ତାର ହିସାବ ଦେବା ସହ କେନ୍ଦ୍ରର ଯୋଜନା ତୃଣମୂଳ ସ୍ତରରେ ପହଁଞ୍ଚାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଭୂପିନ୍ଦର ଅଭିଯୋଗ ଆଣିଥିଲେ।

ତେବେ ରାଜ୍ୟରେ ବିଜେଡି ସହ ନିର୍ବାଚନ ପୂର୍ବରୁ କିମ୍ବା ପରେ ମେଣ୍ଟ ନକରି ଏକାକୀ ଲଢ଼ି ସରକାର କରିବାର ଦମ୍ଭ ଦେଖାଇଛନ୍ତି ଯାଦବ।

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୪୦ରୁ ୪୦ ସିଟ୍ ବିଜେପି ଦଖଲ କରିବ ବୋଲି ଭବିଷ୍ୟବାଣୀ କରିଛନ୍ତି ଦଳର ରାଷ୍ଟ୍ରିୟ ସଂପାଦକ ସୁରେଶ ପୁଜାରୀ। ପଶ୍ଚିମ ଓଡ଼ିଶାର ବିଜେଡିକୁ ମୂଳତ୍ପାଟନ କରି ବିଜେପି ପଞ୍ଚାୟତ ନିର୍ବାଚନର ଫଳାଫଳର ପୁନରାବୃତ୍ତି କରିବ ବୋଲି ଦମ୍ଭୋକ୍ତି କରିଛନ୍ତି ସୁରେଶ।

କିନ୍ତୁ ବିଜେଡି କହିଛି, ବିଜେପୁର ଉପନିର୍ବାଚନ ଫଳାଫଳ ଭଳି ଆଗାମୀ ନିର୍ବାଚନରେ ବି ସମଦଶା ଭୋଗିବ ବିଜେପି।

କିଛି ଦିନ ତଳେ ଏନ୍‌ଡିଏର ପୁରୁଣା ସହଯୋଗୀଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କଥା କହି ମୋଦି ବିଜେଡି ସହ ମେଣ୍ଟ ଚର୍ଚ୍ଚାକୁ ଖୋରାକ ଯୋଗାଇଥିଲେ। ତେବେ ଆଜି ଭୁବନେଶ୍ୱରରେ ଏପରି ସମ୍ଭାବନାକୁ ଖଣ୍ଡନ କରିଛନ୍ତି ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଭୁପିନ୍ଦର ଯାଦବ।

 

You might also like