କେନ୍ଦ୍ର କୃଷି ଆଇନ ବିରୋଧରେ ପାରିତ ହୋଇଥିବା ପ୍ରସ୍ତାବକୁ ସମର୍ଥନ କଲେ ବିଜେପି ବିଧାୟକ

ଥିରୁଭନ୍ତପୁରମ: କେନ୍ଦ୍ର ସରକାଙ୍କର ୩ ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର କରିବା ଲାଗି ଆଜି ସର୍ବସମ୍ମତିକ୍ରମେ କେରଳ ବିଧାନସଭାର ଏକ ପ୍ରସ୍ତାବ ପାରିତ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ପ୍ରଥମେ ବିଧାନସଭାରେ ଏହି ପ୍ରସ୍ତାବକୁ ଆଣିଥିଲେ। ଯାହାକୁ  ସମର୍ଥନ କରିଥିଲେ ସମସ୍ତ ୧୪୦ ବିଧାୟକ। ଫଳରେ ମୌଖିକ ହିସାବରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିଲା।

କିନ୍ତୁ ସବୁଠାରୁ ବଡ଼ କଥା ହେଲା କୃଷି ଆଇନ ବିରୋଧରେ ପାରିତ ହୋଇଥିବା ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ଏକ ମାତ୍ର ବିଜେପି ବିଧାୟକ ଓ ରାଜାଗୋପାଳ। ଏହାପୂର୍ବରୁ ବିଧାନସଭାରେ କେନ୍ଦ୍ର କୃଷି ଆଇନକୁ ସେ ତୀବ୍ର‌ ବିରୋଧରେ ମଧ୍ୟ କରିଥିଲେ। ଏ ନେଇ ସେ କହିଛନ୍ତି ” ଗଣତନ୍ତ୍ରିକ ଚିନ୍ତାଧାରା ରଖି ମୁଁ ଏହି ପ୍ରସ୍ତାବକୁ ସମର୍ଥନ କରିଛି। କିନ୍ତୁ ପ୍ରସ୍ତାବରେ ଥିବା କେତେକ ଶବ୍ଦ ପ୍ରତି ମୁଁ ଏକମତ ନଥିଲି। ଯାହା ମୁଁ ବିଧାନସଭାରେ କହିସାରିଛି।”

ତେବେ କେନ୍ଦ୍ର ସରକାରଙ୍କର କୃଷି ଆଇନ୍‌ ବିରୋଧୀ ପ୍ରସ୍ତାବକୁ ସମର୍ଥନ ଦେଇଥିବାରୁ ପରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସମ୍ବାଦାତା ପ୍ରଶ୍ନ କରିବାରୁ ଏଥିପାଇଁ କୌଣସି ସମସ୍ୟା ହେବା କଥା ନୁହେଁ, ଗଣତାନ୍ତ୍ରିକ ବ୍ୟବସ୍ଥାରେ କିଛି ଆପୋଷ ବୁଝାମଣା କରିବାକୁ ପଡ଼େ ବୋଲି ରାଜଗୋପାଲ କହିଥିଲେ।

ତେବେ ଆଜି ବିଧାନସଭାରେ କୃଷି ଆଇନ ବିରୋଧରେ ପ୍ରସ୍ତାବ ଆଣି ଗୃହରେ ଯୁକ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ସେ କହିଥିଲେ, କୃଷକଙ୍କୁ ଠକୁଥିବା ମିଡିଲ୍‌ମ୍ୟାନ୍‌ ବ୍ୟବସ୍ଥାର ସମାଧାନ କର୍ପୋରେଟାଇଜେସନ୍‌ ନୁହେଁ, ବରଂ କୃଷକ ସଂରକ୍ଷଣ ବ୍ୟବସ୍ଥାର ବିକେନ୍ଦ୍ରୀକରଣ।

କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ କର୍ପୋରେଟାଇସ କରିବାକୁ ଚାହୁଁଛନ୍ତି। ଜୀବିକା ଉପରେ ସମସ୍ୟା ସୃଷ୍ଟି ହେଉଥିବାରୁ ଆଜି କୃଷକମାନେ ଆନ୍ଦୋଳନ କରୁଛନ୍ତି। ତେଣୁ କେନ୍ଦ୍ରସରକାର ଏସମ୍ପର୍କରେ କୃଷକଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଦରକାର। କୃଷକଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ କହିବା ଛାଡ଼ି ସରକାର ସେମାନଙ୍କ ସହିତ ଆଲୋଚନା କରି ତାଙ୍କ ଚିନ୍ତାଧାରା ଦୂର କରିବା ନିହାତି ଆବଶ୍ୟକ ବୋଲି ବିଜୟନ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର କୃଷକମାନଙ୍କର କେତେକ ପ୍ରସ୍ତାବରେ ରାଜି ହୋଇଥିଲେ ମଧ୍ୟ ଏବେ ବି ସମସ୍ୟା ଦୂର ହୋଇ ନାହିଁ। କେନ୍ଦ୍ର ସରକାର ଏହାକୁ ଏକ ସମ୍ମାନହାନୀ ସମସ୍ୟ ଭଳି ନଦେଖନ୍ତୁ। ଲୋକଙ୍କ ଭାବାବେଗକୁ ଦେଖି ନିଜ ଜିଦ୍‌ରୁ ହଟି  କୃଷକ ଆଇନ୍‌ ପ୍ରତ୍ୟାହାର ସମ୍ପର୍କରେ ଚିନ୍ତା କରିବା ଦରକାର ବୋଲି ବିଜୟନ କହିଛନ୍ତି।

ଏଥିସହିତ ରାଜ୍ୟରେ କୃଷକଙ୍କ ପାଇଁ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ। ସେ କହିଥିଲେ ଯେ ଚାଷୀଙ୍କୁ ପ୍ରେରିତ କରିବା ପାଇଁ  କେରଳ ଦେଶର ପ୍ରଥମ ରାଜ୍ୟ ଭାବେ ୧୬ ପ୍ରକାର ପନିପରିବା ଉପରେ ଏକ ମୂଳ ମୂଲ୍ୟ ନିର୍ଦ୍ଧାରଣ କରିଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ଚାଷୀ ଉତ୍ପାଦନ ବଢ଼ାଇବାକୁ ପ୍ରେରିତ କରାଯାଉଛି। ଏଥିସହିତ ଟାଙ୍ଗରା ଭୂମିକୁ ଚାଷ କ୍ଷେତରେ ପରିଣତ କରିବା ପାଇଁ ସୁଭିକ୍ଷା କେରଳମ୍‌ ଯୋଜନାରେ ୮୯୦୦ କୋଟି ଖର୍ଚ୍ଚ ହେଉଛି ବୋଲି ବିଜୟନ ସୂଚନା ଦେଇଥିଲେ।

ତେବେ ଗୃହର ଚର୍ଚ୍ଚା ବେଳେ କୃଷି ଆଇନ୍‌କୁ ବିରୋଧରେ ପାରିତ ହୋଇଥିବା ପ୍ରସ୍ତାବରେ ଥିବା କିଛି କଥା ଉପରେ ଆପତ୍ତି ଜଣାଇଥିଲେ। ପ୍ରସ୍ତାବକୁ ବିରୋଧ କରି ସେ କହିଥିଲେ ଯେ ଚାଷୀଙ୍କୁ ଦୀର୍ଘମିଆଦି ଲାଭ ଦେବା ପାଇଁ ଏହି କୃଷି ଆଇନ୍‌ ପ୍ରସ୍ତୁତ କରାଯାଇଛି। ମିଡିଲ୍‌ମ୍ୟାନ୍ ଓ କମିସନ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ ହେବାଦ୍ୱାରା କୃଷକମାନେ ସେମାନଙ୍କ ଶଶ୍ୟକୁ ଯେଉଁଠି ଚାହିଁବେ ସେଇଠି ବିକ୍ରି କରିପାରିବାର କ୍ଷମତା ପାଇଛନ୍ତି। ଯେଉଁମାନେ ଏହି ଆଇନ୍‌କୁ ବିରୋଧ କରୁଛନ୍ତି ସେମାନେ କୃଷକଙ୍କ ସ୍ୱାର୍ଥ ବିରୋଧରେ ଛିଡ଼ା ହେଉଛନ୍ତି ବୋଲି ରାଜାଗୋଳ କହିଛନ୍ତି। ତେବେ ପ୍ରସ୍ତାବ ପାରିତ ହେବା ବେଳେ କିନ୍ତୁ ଏହାକୁ ବିରୋଧ କରିନଥିଲେ ରାଜଗୋପାଳ। ଫଳରେ ସର୍ବସମ୍ମତିକ୍ରମେ ଗୃହରେ ପ୍ରସ୍ତାବ ପାରିତ ହୋଇଥିଲା। ଏହାପରେ ବିଧାନସଭା ସାଇନେ-ଡାଏ ହୋଇଥିଲା।

ସୂଚନା ଥାଉକି, ରାଜାଗୋପାଳନ କେରଳର ଜଣେ ବରିଷ୍ଠ ବିଜେପି ନେତା। ସେ କେରଳର ନେମୋମ୍‌ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଅଟଳ ବିହାରୀ ବାଜ୍‌ପେୟୀଙ୍କ ସମୟରେ ସେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ।

 

You might also like