କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ଭୋପାଳ:ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ବିଜେପି ନେତ୍ରୀ ଇମରତୀ ଦେବୀଙ୍କୁ ‘ଆଇଟମ୍’ ବୋଲି କହିବା ସରଗରମ ହୋଇଛି ରାଜନୀତି। ଇମରତୀ ଦେବୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ସୋନିଆଗାନ୍ଧୀଙ୍କୁ ଜବାବ ମାଗିଛନ୍ତି।

ମଧ୍ୟପ୍ରଦେଶରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। କମଳନାଥ ଡବରାରେ କଂଗ୍ରେସ ପ୍ରାର୍ଥୀ ସୁରେଶ ରାଜେଙ୍କ ସମର୍ଥନରେ ପ୍ରଚାର କରିବା ପାଇଁ ଯାଇଥିଲେ। ଏହି ସମୟରେ ସେ ସବୁ ମର୍ଯ୍ୟାଦା ଭୁଲି ବିଜେପି ପ୍ରାର୍ଥୀ ଇମରତୀ ଦେବୀଙ୍କୁ ଆଇଟମ୍‌ କହିଥିଲେ। ସେହିପରି ଅଜୟ ସଂହ ମଧ୍ୟ ଜଲେବି ବୋଲି କହିଥିଲେ।

ଏହାର ଜବାବରେ ଇମରତୀ ଦେବୀ କହିଛନ୍ତି, ‘ ଏପରି ଲୋକ ( କମଳନାଥଙ୍କ ଉଦ୍ଦେଶ୍ୟରେ)ଙ୍କୁ ମଧ୍ୟ ପ୍ରଦେଶରେ ରହିବାର କୌଣସି ଅଧିକାର ନାହିଁ। ବଙ୍ଗଳାରୁ ଆସିଲେ, ଆଜି ଆମର ମଧ୍ୟ ପ୍ରଦେଶରେ ମହିଳା ଶକ୍ତିକୁ ସଶକ୍ତ ବୋଲି କୁହାଯାଉଛି। ଘରେ ଲକ୍ଷ୍ମୀ ବୋଲି କୁହାଯାଏ। ମଧ୍ୟ ପ୍ରଦେଶର ସମସ୍ତ ଲକ୍ଷ୍ମୀଙ୍କୁ ସେ ଗାଳି ଦେଇଛନ୍ତି। ’

ସେ ଆହୁରି କହିଛନ୍ତି, ତାଙ୍କୁ ଦଳରୁ ବାହାର କରିବା ପାଇଁ ମୁଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ  ଦାବି କରୁଛି। ସେ ଜଣେ ମହିଳା ଆଉ ମା’ ମଧ୍ୟ। ତାଙ୍କ ଝିଅକୁ ଏପରି କେହି ଜଣେ କହିବେ ଆଉ ମା’ ହୋଇ ସେ ଏହାକୁ ବରଦାସ୍ତ କରିପାରିବେ ?

କମଳନାଥଙ୍କ ଏପରି ବୟାନକୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ  ସିଂହ ଚୌହାନ ମଧ୍ୟ  ତାଙ୍କୁ ଟାର୍ଗେଟ କରିଛନ୍ତି।  ସେ କହଛନ୍ତି, କମଳନାଥ କେବଳ ଇମରତୀ ଦେବୀଙ୍କୁ କହି ନାହାନ୍ତି, ବରଂ ମଧ୍ୟ ପ୍ରଦେଶର ଝିଅ, ବୋହୂଙ୍କ ପ୍ରତି ଏହା ଅପମାନ। କମଳନାଥ ଗୋଟେ ଝି଼ଅ ପ୍ରତି ଏପରି ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି ।

ଅନ୍ୟପକ୍ଷେ କମଳନାଥ ନିଜ ବୟନ ଉପରେ ସଫେଇ ଦେଇ କହିଛନ୍ତି, ‘ ହଁ ମୁଁ ଆଇଟମ କହିଛି। କାରଣ ଆଇଟମ୍‌ ଶବ୍ଦ କିଛି ଅସମ୍ମାନଜନକ ଶବ୍ଦ ନୁହେଁ। ମୁଁ ବି ଆଇଟମ୍‌, ଆପଣ ବି ଆଇଟମ୍‌। ଲୋକସଭା ଏବଂ ବିଧାନସଭାରେ କାର୍ଯ୍ୟସୂଚୀକୁ ଆଇଟମ୍‌ ନମ୍ବର ଲେଖାଯାଏ। ତେବେ ଏହା କ’ଣ ଅସମ୍ମାନଜନକ ? ’

ସୂଚନାଥାଉ କି, ଇମରତୀ ଦେବୀ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ସେ କମଳନାଥ ସରକାରରେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଥିଲେ।

You might also like