ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ କିଛିଦିନ ତଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ତତ୍ତ୍ୱାବଧାନରେ ପ୍ରଦୀପ ମହାରଥୀଙ୍କ ଚିକିତ୍ସା ଚାଲିଥିଲା। ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ହେଲେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି।

ସୂଚନା ଥାଉକି, ସେପ୍ଟେମ୍ବର ୧୪ ତାରିଖରେ ମହାରଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପୂର୍ବରୁ ସେ ଅନେକ ରୋଗରେ ପୀଡ଼ିତ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ବିଜୁ ଜନତା ଦଳର ଜଣେ ପ୍ରଭାବଶାଳୀ ନେତା ଥିଲେ ପ୍ରଦୀପ ମହାରଥୀ। ସେ ୭ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ବିଭାଗରେ ମନ୍ତ୍ରୀ ଭାବେ ସେ ଦାୟିତ୍ୱ ମଧ୍ୟ ତୁଲାଇଥିଲେ।

  • ୧୯୫୫ ମସିହା ଜୁଲାଇ ୪ ତାରିଖରେ ପୁରୀ ଜିଲ୍ଲାର ପିପିଲି ନିକଟସ୍ଥ ଖୋରାପଡ଼ା ଗାଁରେ ଜନ୍ମିତ ପ୍ରଦୀପ ମହାରଥୀ ନିଜର ନିଆରା କଥାବାର୍ତ୍ତା ଶୈଳୀ ପାଇଁ ପରିଚିତ। ସେ ଛାତ୍ର ଜୀବନରୁ ରାଜନୀତି ପ୍ରତି ସ୍ୱତନ୍ତ୍ର ରୁଚି ରଖିଥିଲେ।
  • ୧୯୭୭ ମସିହାରେ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ କଲେଜର ଛାତ୍ର ସଂସଦ ସଭାପତିର ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୫ ମସିହାରେ ପ୍ରଥମଥର ପାଇଁ ଜନତା ଦଳ ଟିକେଟରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ।
  • ୨୦୦୦ରୁ ଲଗାତାର ୫ ଥର ବିଜେଡି ଟିକେଟରୁ ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ।
  • ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ସରକାରୀ ମୁଖ୍ୟ ସଚେତକ, ୨୦୧୧ରୁ ୨୦୧୨ ଜାନୁୟାରୀ ପର୍ଯ୍ୟନ୍ତ ୮ମାସ ପାଇଁ କୃଷି ମନ୍ତ୍ରୀ ହୋଇଥିଲେ।
  • ପ୍ରଥମଥର କୃଷି ମନ୍ତ୍ରୀ ଥିବାବେଳେ ପିପିଲି ଗଣଦୁଷ୍କର୍ମ ଘଟଣାରେ ତାଙ୍କର ସହଯୋଗୀମାନଙ୍କ ସମ୍ପୃକ୍ତି ଯୋଗୁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡ଼ିଥିଲା। ତେବେ ପରେ ସେ ପୁଣିଥରେ ମନ୍ତ୍ରିମଣ୍ଡଳକୁ ଫେରି ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରରେ ୨୦୧୪ ମେ’ରୁ ୨୦୧୭ ମେ’ ପର୍ଯ୍ୟନ୍ତ ପୁଣିଥରେ କୃଷି ମନ୍ତ୍ରୀ ସହ ମତ୍ସ୍ୟ ଓ ପଶୁସମ୍ପଦ,୨୦୧୭ ମେ’ରୁ ୨୦୧୯ ଜାନୁୟାରୀ ପର୍ଯ୍ୟନ୍ତ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଜଣେ ଅଧ୍ୟାପିକା ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ଆହୁରି ପଢ଼ନ୍ତୁ

ସନ୍ଦିଗ୍ଧ ଆତଙ୍କୀ ଲିଙ୍କରେ ଭୁବନେଶ୍ୱରରୁ ଜଣକୁ ଉଠାଇ ନେଲା NIA

ପୋଖରୀରେ ବୁଡ଼ିଗଲେ ଦୁଇ ଭଉଣୀ

ଭଡ଼ା ଘରୁ ମିଳିଲା ଇଞ୍ଜିନିୟରିଂ କଲେଜ ପ୍ରଫେସରଙ୍କ ମୃତଦେହ

ଆଡ଼ ଆଖିରେ ଚାହିଁଲେନି ଭାଇବନ୍ଧୁ, ରାସ୍ତା ଉପରେ ଶୁଆଇ ସହାୟତା ଦାବି କଲେ ଗାଁଲୋକ

୨୪ ଘଣ୍ଟାରେ ଆଖି ବୁଜିଲେ ୧୩ କରୋନା ରୋଗୀ

ଓଡ଼ିଶାରେ ସୁଧୁରୁଛି କରୋନା ସ୍ଥିତି: ୨୪ ଘଣ୍ଟାରେ ୧,୯୩୧ ପଜିଟିଭ୍‌ ଚିହ୍ନଟ

୪୮ ଘଣ୍ଟାରେ ଅବପାତର ରୂପ ନେଇପାରେ ଲଘୁଚାପ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିବ୍ୟାଙ୍ଗ ବାଳିକା

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

You might also like