ଜାଣନ୍ତୁ, ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ବାଇଡେନ୍ଙ୍କ ଟିମ୍…
ୱାଶିଂଟନ୍: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଛନ୍ତି ଜୋ ବାଇଡେନ୍। ଆମେରିକୀୟ ଗଣତନ୍ତ୍ରର ଏହି ମହାପର୍ବକୁ ନେଇ ଭାରତରେ ବି ଉତ୍ସାହ କିଛି କମ୍ ନାହିଁ। କାରଣ ଆମେରିକାର ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍। ବାଇଡେନ ନିଜ ଟିମ୍ରେ ୨୦ ଜଣ ଭାରତୀୟଙ୍କୁ ସ୍ଥାନ ଦେଇଛନ୍ତି।
ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ଉପରାଷ୍ଟ୍ରପତି ପଦ ଅଳଂକୃତ କରିଛନ୍ତି ଭାରତୀୟ ବଂଶୋଦ୍ଭବ କମଲା ହାରିସ୍। କମଲାଙ୍କ ମା’ ଶ୍ୟାମଳା ଗୋପାଲନ ଚେନ୍ନାଇର ହୋଇଥିବା ବେଳେ ବାପା ଜାମାଇକାର। ତେବେ ନିଜ ଭାରତୀୟ ବଂଶୋଦ୍ଭବ ହେବାର ପରିଚୟକୁ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି କମଲା ହାରିସ୍। ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ପୂର୍ବରୁ ମଧ୍ୟ ନିଜ ମାଆଙ୍କୁ ମନେ ପକାଇ ସେ ଏକ ଆବେଗପୂର୍ଣ୍ଣ ଭିଡିଓ ଟ୍ୱିଟ୍ କରି ଲେଖିଥିଲେ, ମୋ ପୂର୍ବରୁ ଏଠାକୁ ଆସିଥିବା ମହିଳାଙ୍କ ପାଇଁ ଆଜି ମୁଁ ଏଠାରେ ପହଞ୍ଚି ପାରିଛି।
କେବଳ କମଲା ହାରିସ୍ ନୁହନ୍ତି ବାଇଡେନଙ୍କ ଟିମ୍ରେ ରହିଛନ୍ତି ୧୩ ମହିଳାଙ୍କୁ ମିଶାଇ ୨୦ ଭାରତୀୟ। ସେମାନଙ୍କ ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି ନୀରା ଟାଣ୍ଡେନ ତାଙ୍କୁ ହ୍ୱାଇଟ୍ ହ୍ୱାଉସ ଅଫିସ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ବଜେଟ୍ର ନିର୍ଦ୍ଦେଶିକା କରାଯାଇଛି। ଡାକ୍ତର ବିବେକ ମୂର୍ତ୍ତି ଆମେରିକାର ସର୍ଜନ ଜେନେରାଲ ଭାବେ ମନୋନୀତ ହୋଇଛନ୍ତି। ବନିତା ଗୁପ୍ତାଙ୍କୁ ଆସୋସିଏଟ ଆଟର୍ଣ୍ଣି ଜେନେରାଲ କରାଯାଇଛି। ଉଜ୍ରା ଜେୟା, ମାଲା ଆଡିଗା, ଗାରିମା ବର୍ମା, ସାବ୍ରିନା ସିଂହ, ଭାରତ ରାମମୂର୍ତ୍ତୀ, ଗୌତମ ରାଘବନ, ବେଦାନ୍ତ ପଟେଲ, ତରୁଣ ଛାବ୍ରା, ଶାନ୍ତି କଲାଥିଲ, ସୋନିଆ ଅଗ୍ରଓ୍ୱାଲ, ନେହା ଗୁପ୍ତା, ରୀମା ଶାହ ଓ ବିନୟ ରେଡ୍ଡୀ ବି ବାଇଡେନଙ୍କ ଟିମ୍ରେ ସ୍ଥାନ ପାଇଛନ୍ତି। ଏହାସହ ଜମ୍ମୁ ଓ କାଶ୍ମୀରର ଦୁଇ ମହିଳା ବି ଆମେରିକା ରାଷ୍ଟ୍ରପତିଙ୍କ ଟିମ୍ରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଆଇସା ଶାହା ଓ ସମୀରା ଫାଜିଲି। ଆଇସା ହ୍ୱାଇଟ୍ ହାଉସ୍ ଡିଜିଟାଲ ଷ୍ଟ୍ରାଟେଜି ପରିଚାଳିକା ଏବଂ ସମୀରା ଆମେରିକା ନ୍ୟାସନାଲ ଇକୋନୋମିକ୍ କାଉନସିଲର ଡେପୁଟି ଡାଇରେକ୍ଟର ଭାବେ ମନୋନୀତ ହୋଇଛନ୍ତି।
କମଳା ହାରିସ୍ ଆମେରିକା ଉପରାଷ୍ଟ୍ରପତି ଭାବେ ଶପଥ ନେବାପରେ କମଳାଙ୍କ ଗାଁରେ ଉତ୍ସବର ପରିବେଶ ଦେଖିବାକୁ ମିଳିଛି। ଏହି ଅବସରରେ ତାମିଲନାଡୁର ତୁଲାସେନ୍ଦିରାପୁରମରେ ଲୋକେ ବାଣ ଫୁଟାଇବା ସହ ଉତ୍ସବ ମନାଇଥିଲେ। ପରସ୍ପରକୁ ବଧେଇ ଜଣାଇବା ସହ ଆତବାଜି ଫୁଟାଇବା ସହ ମିଠା ବଣ୍ଟନ କରି ଉତ୍ସବ ପାଳନ କରିଥିଲେ। କମଲାଙ୍କ ପାଇଁ ଶୁଭମନାସୀ ମନ୍ଦିରରେ ପୂଜାପାଠ କରିବା ସହ ଦୀପଦାନ କରିଛନ୍ତି କମଳାଙ୍କ ଗାଁ ଲୋକେ। ଜଣେ ଭାରତୀୟ ବଂଶୋଦ୍ଭବ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରିଛନ୍ତି କମଳା ହାରିସଙ୍କ ଗାଁଲୋକେ।