ଆକ୍ସନ ମୋଡ୍‌ରେ ବାଇଡେନ

ୱାଶିଂଟନ୍‌: କାର୍ଯ୍ୟଭାର ଗ୍ରହଣ କରିବା ମାତ୍ରେ ଆକ୍ସନ ମୋଡ୍‌ରେ ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ୍‌। ପ୍ରଥମ ଦିନରୁ ହିଁ ସେ ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସହ କିଛି ଆଦେଶନାମାରେ ପରିବର୍ତ୍ତନ କରିଛନ୍ତି। ଶପଥ ପରେ ବାଇଡେନ ଏକକାଳୀନ ୧୫ଟି  ଏକ୍ସିକ୍ୟୁଟିଭ୍ ଅର୍ଡର୍‌ରେ ଦସ୍ତଖତ କରିଛନ୍ତି।

ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଜୋ ବାଇଡେନ୍ ସାରା ଦେଶରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ବାଇଡେନଙ୍କ ନିର୍ଦ୍ଦେଶ ପରେ ଆମେରିକାରେ ୧୦୦ ଦିନ ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ପ୍ରବାସୀମାନଙ୍କୁ ରିଲିଫ ଦିଆଯାଇଥିବାବେଳେ ଅନେକ ମୁସଲମାନ ଦେଶରୁ ଯାତ୍ରା ଉପରେ ପ୍ରତିବନ୍ଧକ ମଧ୍ୟ ହଟାଇ ଦିଆଯାଇଛି। ୨୦୧୭ରେ, ଟ୍ରମ୍ପ ମୁସଲିମ ସଂଖ୍ୟାଗରିଷ୍ଠ ସାତୋଟି ଦେଶ ଉପରେ ଏହି ପ୍ରତିବନ୍ଧକ ଲଗାଇଥିଲେ।

ତା ସହିତ ପ୍ୟାରିସ୍ ଜଳବାୟୁ ଚୁକ୍ତିରେ ସାମିଲ ହେବା ପାଇଁ ମଧ୍ୟ ସବୁଜ ସଙ୍କେତ ମଧ୍ୟ ଦେଇଛନ୍ତି ବାଇଡେନ। ଏଥିସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକାର ପ୍ରତ୍ୟାହାରକୁ ବନ୍ଦ କରିଛନ୍ତି। ଏସବୁ ନିର୍ଦ୍ଦେଶରେ ଦସ୍ତଖତ କରିବା ପରେ ସମୟ ନଷ୍ଟ କରିବାର ନାହିଁ ବୋଲି ବାଇଡେନ କହିଛନ୍ତି।

ଟ୍ରମ୍ପଙ୍କ ରାଜ୍ ସରିବା ପରେ ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଗତକାଲି ଶପଥ ନେଇଛନ୍ତି ୭୭ ବର୍ଷୀୟ ଜୋ ବାଇଡେନ୍। ତାଙ୍କ ସହ ଆମେରିକାର ପ୍ରଥମ ମହିଳା, ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ଦକ୍ଷିଣ ଏସିୟ ଏବଂ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ୍।

ବାଇଡେନଙ୍କୁ ଚିଫ୍ ଜଷ୍ଟିସ୍ ଜନ୍ ରୋବର୍ଟ୍ସ ଏବଂ କମଳା ହାରିସଙ୍କୁ ସୁପ୍ରିମକୋର୍ଟର ଜଷ୍ଟିସ୍ ସୋନିଆ ସୋଟୋମେୟର୍ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ, ଜର୍ଜ ଡବ୍ଲୁ ବୁଶ୍ ଓ ବାରାକ୍ ଓବମା ପ୍ରମୁଖ ବ୍ୟକ୍ତିବିଶେଷ।

ଏହି ଶପଥ ଗ୍ରହଣ ସମାରୋହ ପାଇଁ ଉତ୍ସବ ମୁଖର ଥିଲା ଓ୍ୱାଶିଂଟନ୍ ଡିସିର କ୍ୟାପିଟଲ୍ ହିଲ୍। କରୋନା ସତର୍କତାକୁ ଦୃଷ୍ଟିରେ ରଖି ଜନସାଧାରଣ ସାମିଲ ହୋଇ ନ ଥିଲେ, ହେଲେ ଶୋଭା ପାଇଥିଲା ଦେଶର ପ୍ରାୟ ୨ ଲକ୍ଷ ରାଜ୍ୟ ଓ ପ୍ରାଦେଶିକ ପତାକା। ସେକେଣ୍ଡ୍ ଜେଣ୍ଟଲମ୍ୟାନ୍ ଡଗଲସ୍ ଏମ୍‌ହୋଫ୍‌ଙ୍କ ସହ କମଳା ହାରିସ୍, ଫାଷ୍ଟ ଲେଡି ଜିଲ୍ ବାଇଡେନଙ୍କ ସହ ରାଷ୍ଟ୍ରପତି ବାଇଡେନ୍ ଶପଥଗ୍ରହଣ ସ୍ଥଳକୁ ଆସିବା ବେଳେ ଖୁସିରେ ଉଛୁଳି ଉଠିଥିଲା ପୂରା ପରିବେଶ ।

You might also like