ସର୍ଭେଲାନ୍ସରେ ଭୁବନେଶ୍ୱର ଓଲ୍ଡ୍ ଟାଉନ୍ର ଏହି ଅଞ୍ଚଳ, କରୋନା ଲିଙ୍କ୍ ରହିଛି କି ?
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓଲ୍ଡ୍ ଟାଉନ୍ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର କିଛି ଘରକୁ ସର୍ଭେଲାନ୍ସରେ ରଖାଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ଆଶଙ୍କାରେ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।
ଏହି ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କାହିଁକି ଏହି ଘର ଗୁଡ଼ିକୁ ସର୍ଭେଲାନ୍ସରେ ରଖାଗଲା ସେନେଇ ସରକାର ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ କରି ନାହାନ୍ତି। ଏପରିକି ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ମଧ୍ୟ ଘୋଷଣା ହୋଇନାହିଁ କିମ୍ବା କିଛି ସ୍ପଷ୍ଟ ଭାବେ କୁହାଯାଇନାହିଁ।
ପୂର୍ବରୁ ଭୁବନେଶ୍ୱର ଉପକଣ୍ଠ ପ୍ରଧାନ ସାହିକୁ ସିଲ୍ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ କିମ୍ବା ଲୋକଙ୍କୁ କିଛି ନ ଜଣାଇ ଭୁବନେଶ୍ୱର ଓଲ୍ଡ୍ ଟାଉନ୍ର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ସର୍ଭେଲାନ୍ସରେ ରଖାଯାଇଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସେହି ଅଞ୍ଚଳରେ କିଛି କରୋନା ଲିଙ୍କ୍ ରହିଛି କି ? ନା ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇବାକୁ ଏପରି କରାଯାଇଛି କି ?
ଯଦି ଏପରି ହୋଇଥାଏ, ସରକାର, ପ୍ରଶାସନ ତାହା ସ୍ପଷ୍ଟ କରିବା ଉଚିତ୍। କାରଣ ଲୋକେ ଠିକ୍ ସୂଚନା ପାଇବା ଦରକାର। ସ୍ପଷ୍ଟ ସୂଚନା ପାଇଲେ ହିଁ ଲୋକେ ସତର୍କ ହେବେ ଓ କରୋନା ବିରୋଧରେ ଲଢ଼େଇ ଠିକ୍ ଭାବେ ହୋଇପାରିବ। ନଚେତ୍ ସ୍ଥାନୀୟ ଲୋକେ ଅଧିକ ଛାନିଆ ବି ହୋଇପାରନ୍ତି କିମ୍ବା ବେପରୁଆ ମଧ୍ୟ ହୋଇପାରନ୍ତି। ଉଭୟ କ୍ଷେତ୍ରରେ କରୋନା ମୁକାବିଲା ପ୍ରଭାବିତ ହେବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।