ବ୍ରହ୍ମପୁର(ଅଶୋକ ବ୍ରହ୍ମା) ବଲାଙ୍ଗିର ପରେ ବ୍ରହ୍ମପୁରରେ ବି ମହାମାରୀ ବେଳେ ମହାଦୁର୍ନୀତି ଗନ୍ଧ ମିଳିଛି। ରେଶମ ସହରରେ ବି କେଇଖଣ୍ଡ ବାଉଁଶକୁ ନେଇ ତିଆରି ହୋଇଥିବା ବ୍ୟାରିକେଡ୍ ପାଇଁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା। କୋଭିଡ୍ ଲକଡାଉନ ବେଳେ ବୁଲା ପଶୁଙ୍କୁ ଖାଇବାକୁ ଦେବାକୁ ବି, କାଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛି ମହାନଗର ନିଗମ। ସୂଚନା ଅଧିକାର ବଳରେ ଏସବୁ ଚମକାଇଦେବା ଭଳି ତଥ୍ୟ ସାମ୍ନାକୁ ଆସିବା ପରେ, ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ବ୍ରହ୍ମପୁର ବାସିନ୍ଦା।

ତେବେ କରୋନା ସମୟରେ ଲକଡାଉନ ଓ ସଟଡାଉନ ପାଇଁ ଅନେକ ସ୍ଥାନରେ ବାଉଁଶ ବନ୍ଧାଯାଇ ରାସ୍ତା ଅବରୋଧ କରାଯାଇଥିଲା। ଆଉ ସେହି ବାଉଁଶର ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ। ଏଭଳି ଗୋଟିଏ ଗୋଟିଏ ବ୍ୟାରିକେଡ୍ ପାଇଁ କାଳେ ଖର୍ଚ୍ଚ ହୋଇଛି ହଜାର ହଜାର ଟଙ୍କା। ଲକଡାଉନ ବେଳେ ବ୍ରହ୍ମପୁର ସହରରେ କାଳେ ଲାଗିଥିଲା ପ୍ରାୟ ସାଢ଼େ ୮ ଲକ୍ଷ ଟଙ୍କାର ବ୍ୟାରିକେଡ୍।

ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଥିବା  ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ୧୫ଟି ସ୍ଥାନରେ ହୋଇଥିଲା ବାଉଁଶ ବ୍ୟାରିକେଡ୍। ଏଥିପାଇଁ ୨୨ ଜୁଲାଇରେ ୩ଲକ୍ଷ ୪୨ ହଜାର ୬୦୧ ଓ ସେପ୍ଟେମ୍ବର ୮ରେ ୫ ଲକ୍ଷ ଟଙ୍କା ପୈଠ କରାଯାଇଛି। ୧୫ଟି ସ୍ଥାନ ପାଇଁ ମୋଟ ଖର୍ଚ୍ଚ ହୋଇଛି ୮ ଲକ୍ଷ ୪୨ ହଜାର ୬୦୧ ଟଙ୍କା। ଅର୍ଥାତ୍ ଗୋଟିଏ ଗୋଟିଏ ସ୍ଥାନରେ ହାରାହାରି ୫୬ ହଜାର ୧୭୩ ଟଙ୍କା ଲେଖାଏଁ ଖର୍ଚ୍ଚ ହୋଇଛି। ମାତ୍ର ୫-୭ ଖଣ୍ଡ ବାଉଁଶରୁ ତିଆରି ବ୍ୟାରିକେଡ୍ ପାଇଁ ଏତେ ଟଙ୍କା କେମିତି ଖର୍ଚ୍ଚ ହେଲା ବୋଲି ସନ୍ଦେହ ପ୍ରକାଶ କରିବା ସହ, ଏହି ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି ବ୍ରହ୍ମପୁରବାସୀ।

କେବଳ ବାଉଁଶ ବାଡ଼ ନୁହେଁ ବରଂ ଆର୍ଟିଆଇ ତଥ୍ୟ କହୁଛି, ଲକ୍ଡାଉନ ବେଳେ କୁକୁର, ଗାଈ ଓ ଷଣ୍ଢ ଆଦି ବୁଲା ପଶୁଙ୍କ ପେଟକୁ ବି ଯାଇଛି ଲକ୍ଷ ଲକ୍ଷ ଟଙ୍କା। କୁହାଯାଇଛି ସରକାରଙ୍କ ପକ୍ଷରୁ ଏଥିପାଇଁ ମୋଟ ୭ ଲକ୍ଷ ୨୦ ହଜାର ଟଙ୍କା ଆସିଥିଲା ଏବଂ ୩୩ ଦିନ ଧରି ଦୈନିକ ୧୦ ହଜାର ଟଙ୍କାର ଖାଦ୍ୟ ବାଣ୍ଟିବାକୁ କୁହାଯାଇଥିଲା। ହେଲେ ଏକ ହୋଟେଲ୍ ସହ ମୂଲଚାଲ ପରେ, ଦୈନିକ ୮ ହଜାର ଟଙ୍କା ହିସାବରେ ମୋଟ ୩ ଲକ୍ଷ ୨୧ ହଜାର ୩୧୫ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଜଣାଯାଇଛି।

ଗଣିତ କହୁଛି, ଦୈନିକ ୮ ହଜାର ହିସାବରେ ୩୩ ଦିନ ଖାଇବାକୁ ଦେଲେ ମୋଟ ୨ ଲକ୍ଷ ୬୪ ହଜାର ଟଙ୍କା ଖର୍ଚ୍ଚ ହେବା କଥା ତେଣୁ ବାକି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେଲା, ସେନେଇ କୌଣସି ତଥ୍ୟ ଦିଆଯାଇନାହିଁ। ସେପଟେ ପଶୁପ୍ରେମୀ ସଂଗଠନ ମଧ୍ୟ ଏତେ ଟଙ୍କା ଖର୍ଚ୍ଚ ହେବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ, ମହାନଗର ନିଗମ ପକ୍ଷରୁ ସେଭଳି ନିୟମିତ ଖାଦ୍ୟ ବଣ୍ଟନ ନଜରକୁ ଆସିନଥିବା ଅଭିଯୋଗ କରିଛନ୍ତି।

ଆରଟିଆଇରେ ପଚରାଯାଇଥିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ବାଉଁଶ ବ୍ୟାରିକେଡ୍ ଏବଂ ବୁଲା ପଶୁଙ୍କୁ ଖାଦ୍ୟ ବିତରଣ ପାଇଁ, କେଉଁ ଆଧାରରେ ଠିକାଦାର ବା ସଂସ୍ଥାଙ୍କୁ କାମ ଦେଇଥିଲା ମହାନଗର ନିଗମ? ଏଥିପାଇଁ କୌଣସି ଟେଣ୍ଡର୍ ବା ବିଜ୍ଞପ୍ତି ପ୍ରକାଶ ପାଇଥିଲା, ନା ମହାନଗର ନିଗମ କମିଶନର ଅଥବା ଅନ୍ୟକେହି କର୍ତ୍ତୃପକ୍ଷ ନିଜ ଅଧିକୃତ କ୍ଷମତା ବଳରେ ଏହାକୁ ଦେଇଥିଲେ? ତେବେ ବିଡ଼ମ୍ବନା, ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହାର କୌଣସି ଜବାବ ଦିଆଯାଇନାହିଁ। ଅନ୍ୟପକ୍ଷରେ, କମିଶନର କହିଛନ୍ତି ଏ ତମାମ୍ ଅଭିଯୋଗର ତଦନ୍ତ ହେବ।

Other Stories