ଲକ୍ଡାଉନ୍: ଏପ୍ରିଲ ୧୪ ଯାଏ ଘୁଞ୍ଚିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା
ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଯେପରି ଦେଶରେ ନ ବ୍ୟାପେ ସେଥିପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପୂର୍ବରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରିଥିଲେ। ଏବେ ଏହାକୁ ଆସନ୍ତା ଏପ୍ରିଲ ୧୪ ଯାଏ ଘୁଞ୍ଚାଇ ଦିଆଯାଇଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି କଟକଣା Cargo ବିମାନ ଗୁଡ଼ିକ ପାଇଁ ଲାଗୁ ନୁହେଁ।
କରୋନା ମୁକାବିଲା ଲାଗି ଭାରତ ସରକାର ପ୍ରଥମେ ଟ୍ରେନ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ରୋକ ଲଗାଇଥିଲେ। ତା’ପରେ ଦେଶ ମଧ୍ୟରେ ଉଡୁଥିବା ସମସ୍ତ ଘରୋଇ ବିମାନ ଉଡ଼ାଣକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।
କରୋନା ଆକ୍ରାନ୍ତରେ ମୃତକଙ୍କ ସଂଖ୍ୟା ୧୬ ଛୁଇଁଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେବଳ ଆଜି ୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏହି ତଥ୍ୟ ଅନୁଯାୟୀ ୬୩୩ ଜଣଙ୍କଠାରେ ବର୍ତ୍ତମାନ ମଧ୍ୟ କରୋନା ପଜିଟିଭ୍ ରହିଥିବାବେଳେ ୪୪ ଜଣ ସୁସ୍ଥ ହୋଇଛନ୍ତି ବା ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି।