ସୁବର୍ଣ୍ଣରେଖା ମୁହାଁଣରେ କେବେ ନିର୍ମାଣ ହେବ ବନ୍ଦର ?

ଭିତ୍ତିପ୍ରସ୍ତର ସ୍ଥାପନ ପରଠୁ କାମ ଆଗେଇ ପାରୁନି

  • ବିସ୍ଥାପିତ ହେବା ଭୟରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ
  • ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେଉ: ବୁଦ୍ଧିଜୀବୀ

ବାଲିଆପାଳ(ଅଜିତ୍ ଦାସ ଓ ରଶ୍ମିରଞ୍ଜନ ଦାସ) : ସୁବର୍ଣ୍ଣରେଖା ମୁହାଁଣରେ ନିର୍ମାଣ ହେବ ଓଡିଶାର ଆଉ ଏକ ବନ୍ଦର ବନ୍ଦର । ଭିତ୍ତିପ୍ରସ୍ତର ସ୍ଥାପନ କରି ଆସନ୍ତା ୪ ରୁ ୫ ବର୍ଷ ଭିତରେ ବନ୍ଦର କାର୍ଯ୍ୟ କ୍ଷମ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବନ୍ଦର କାମ ବଢିପାରୁନି ।

ବାଲେଶ୍ୱର ବାଲିଆପାଳ ବ୍ଲକର ଚଉମୁଖଠାରେ ପ୍ରତିଷ୍ଠା ହେବ ଶିଳ୍ପ ଭିତ୍ତିକ ବନ୍ଦର । ସୁବର୍ଣ୍ଣରେଖା ମୁହାଁଣରେ ଏହି ବନ୍ଦର ପ୍ରତିଷ୍ଠା ହେବ । ଏଥିଲାଗି ୨୦୦୮ରେ ଚେନ୍ନାଇର କ୍ରିଏଟିଭ୍ ପୋର୍ଟ ଡେଭଲପମେଣ୍ଟ ଲିମିଟେଡ୍ ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର । ୨୦୧୭ରେ ପ୍ରକଳ୍ପରେ ଟାଟା ଷ୍ଟିଲ ୫୧ ପ୍ରତିଶତ ଅଂଶୀଦାର ହେବାକୁ ଚୁକ୍ତି କରିଥିଲା । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଆସି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ବିସ୍ଥାପିତ ହେବା ଭୟରେ କିଛି ସ୍ଥାନୀୟ ଲୋକଙ୍କ ବିରୋଧ ଓ ପ୍ରଜାମେଳି ଯୋଗୁଁ ପ୍ରକଳ୍ପ କାମ ଆରମ୍ଭ ହୋଇପାରିନି । କରୋନା ମହାମାରୀ ସତ୍ୱେ ବାଲିଆପାଳର ଖଗଡାପାଳଠାରେ ପ୍ରଜାମେଳି କରିଥିଲେ ଶହ ଶହ ସଂଖ୍ୟାରେ ବିସ୍ଥାପିତ । ତେବେ ଏସମ୍ପର୍କରେ ବାମପନ୍ଥୀ ନେତା ଜୟନ୍ତ ଦାସ କହିଛନ୍ତି, ଏଠାରେ କେବଳ କୁହେଳିକା ପ୍ରଚାର ଚାଲିଛି । ଆଉ ସରକାର ଏଥିପାଇଁ ହତିଆର ହୋଇଛନ୍ତି । ଏଠାରେ ଜମି ହଡ଼ପ ଚାଲିଛି ବୋଲି ଅଭିଯୋଗ ହୋଇଛି ।

ଏହି ବନ୍ଦର ନିର୍ମାଣ ହେଲେ ବାର୍ଷିକ ୫୫ ନିୟୁତ ଟନ୍ ପଣ୍ୟ କାରବାର ହେବ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇବେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ହେବ ।  ବନ୍ଦର ପାଇଁ ୯୬୫ ଦଶମିକ ୧୮ ଏକର ଜମି ଆବଶ୍ୟକ ଥିବାବେଳେ ଏଯାଏଁ  ୬୯୨ ଦଶମିକ ୬୮ ଏକର ଜମି ଜିଲ୍ଲା ପ୍ରଶାସନ ବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ଏହି ବନ୍ଦର ସମୁଦ୍ର ବେଳାଭୂମି ଭିତରକୁ ହେଉଥିବା ସୂଚନା ଦେଇଛନ୍ତି ଟାଟା କର୍ତ୍ତୃପକ୍ଷ  । ବିସ୍ଥାପନ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି କହିଛି ଜିଲ୍ଲା ପ୍ରଶାସନ ।

ବନ୍ଦର ହେଲେ ବିକାଶର ଧାରାରେ ପରିବର୍ତ୍ତନ ଆସିବ ବୋଲି ମତ ଦେଇଛନ୍ତି ଅର୍ଥନୀତିଜ୍ଞ । ଅନ୍ୟପଟେ ବିସ୍ଥାପନ ସମସ୍ୟାକୁ ନେଇ ଲୋକଙ୍କ ଭିତରେ ଥିବା ସନ୍ଦେହକୁ ଜନଶୁଣାଣି ମାଧ୍ୟମରେ ଦୂର କରାଯିବା ଉଚିତ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

 

 

 

 

You might also like