ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ରର ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର : ଧରାପଡ଼ିଲା ବୈଜୟନ୍ତଙ୍କ ବିରୋଧରେ ଦଳ ଭିତରୁ ଚାଲିଥିବା ବଡ଼ ଷଡ଼ଯନ୍ତ୍ର। ଖୋଲିଲା ଗୁମର। ଚକ୍ରାନ୍ତ ପଛରେ ବବି ଓ ପାଣ୍ଡିଆନ୍‌। ପ୍ଲାନ୍‌ ପାଣ୍ଡିଆନ୍‌ଙ୍କର, କାର୍ଯ୍ୟକାରୀ କରିବା କାମ ବବିଙ୍କର। ସାମ୍ବାଦିକ ସମ୍ମିଳନୀରେ ଏଇ ଖୁଲାସା କରିଛନ୍ତି ବିଜେଡି କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲ୍‌ର ପୂର୍ବତନ ସଭାପତି ମହମ୍ମଦ ସଲିମ୍ ଖାନ୍।

ବିଜୁ ଶ୍ରାଦ୍ଧବାର୍ଷିକୀରେ ବୈଜୟନ୍ତଙ୍କ ପୂର୍ବତନ ସହଯୋଗୀ ଦେବାଶିଷ ମଲ୍ଲିକ ବୈଜୟନ୍ତଙ୍କ ବିରୋଧରେ ଦଳ ବିରୋଧୀ କାର୍ଯ୍ୟର ଅଭିଯୋଗ ଆଣିଥିଲେ। ତେବେ ସେଇ ଦେବାଶିଷ ମଲ୍ଲିକ ଓ ସଲିମ୍ ଖାନ୍‌ଙ୍କ ମଧ୍ୟରେ ଫୋନ୍‌ରେ ହୋଇଥିବା ୨୫ ମିନିଟ୍‌ର ବାର୍ତ୍ତାଳାପ ଭିତରେ ଥିବା ଏମିତି କିଛି ଚକ୍ରାନ୍ତର ତଥ୍ୟକୁ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ସଲିମ୍।

ଏପରିକି ଅଡିଓ ଟେପ୍‌ରେ ବୈଜୟନ୍ତଙ୍କ ବିରୋଧରେ ଯେତେ ବାହାରିବ ସେହି ଅନୁସାରେ ପୁରସ୍କାର ମିଳିବା ନେଇ କହିଛନ୍ତି ଦେବାଶିଷ। ବୈଜୟନ୍ତଙ୍କ କ୍ୟାମ୍ପ ଛାଡ଼ିବା ପାଇଁ ହେଉଥିବା ଷଡ଼ଯନ୍ତ୍ରରେ ସଲିମ୍‌ଙ୍କ ସାମିଲ୍ କରିବା ପାଇଁ ଧମକଚମକ୍ ସହ ପ୍ରଲୋଭିତ ମଧ୍ୟ କରାଯାଇଥିଲା। ହେଲେ ସେ ଏହି ଷଡ଼ଯନ୍ତ୍ରରେ ସାମିଲ ନହେଲେ ତାଙ୍କ ଉପରେ ଆକ୍ରମଣ ଏବଂ ହଇରାଣ ହରକତ କରାଯିବ ବୋଲି ଦେବାଶିଷ କହିଥିଲେ। ତେବେ ସେ ଷଡ଼ଯନ୍ତ୍ରରେ ସାମିଲ ହୋଇ ନଥିବାରୁ ତାଙ୍କୁ ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଆଶଙ୍କା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ମାଗିଛନ୍ତି। ଏପରିକି ଦଳର ନେତା ଏ ସାଙ୍ଘାତିକ ଷଡ଼ଯନ୍ତ୍ର ବୁଝନ୍ତୁ ଓ ଦଳକୁ ଷଡ଼ଯନ୍ତ୍ରକାରୀଙ୍କଠୁ ବଞ୍ଚାଇବା ପାଇଁ ଅପିଲ୍ କରିଛନ୍ତି ସଲିମ୍।

ଏପରିକି ଅଡ଼ିଓ ଟେପ୍‌ରୁ ବିଜେଡି-ବିଜେପି ଡିଲ୍ ଓ କଂଗ୍ରେସର ପୂର୍ବତନ ମନ୍ତ୍ରୀ ବିଜେଡିରେ ଯୋଗଦେବାକୁ ବବିଙ୍କୁ ବାୟୋଡାଟା ଦେଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟର ମଧ୍ୟ ଖୁଲାସା ହୋଇଛି। ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ।ବୈଜୟନ୍ତଙ୍କ ବିରୋଧରେ ଷଡ଼ଯନ୍ତ୍ରର ଏହି ଅଡିଓ ଟେପ୍ ବିଜେଡି ବିଶୃଙ୍ଖଳାର ଅନେକ ଗୁମର ପଦାକୁ ଆଣିଛି। ତେବେ ଏହା ଉପରେ ଦଳର ସୁପ୍ରିମୋ କି ପଦକ୍ଷେପ ନେଉଛନ୍ତି ଏବେ ତାହା ଦେଖିବାର କଥା।

ଅଧିକ ଜାଣିବା ପାଇଁ ଏହି ଭିଡ଼ିଓ ଦେଖନ୍ତୁ –

You might also like