ନିସ୍ତାର ନାହିଁ, ଜେଲ୍ ଚାରି କାନ୍ଥରେ ସଢ଼ିବେ ଗଡ୍‌ ମ୍ୟାନ୍‌

ନୂଆଦିଲ୍ଲୀ: ନିସ୍ତାର ମିଳିଲାନି ଆତ୍ମଘୋଷିତ ଗଡ୍‌ ମ୍ୟାନ୍ ଆଶାରାମ ବାପୁଙ୍କୁ। ସାଥ୍‌ ଦେଲାନି ଭାଗ୍ୟ। ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଯୋଧପୁର ସ୍ୱତନ୍ତ୍ର କୋର୍ଟ। ବିଳାସମୟ ଆଶ୍ରମରେ ଜୀବନ କାଟୁଥିବା ବାପୁ ଏବେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ର ଚାରି କାନ୍ଥରେ ବନ୍ଦୀ ରହିବେ। ଧର୍ମ ନିକିତିରେ ପାପଭାର ତଉଲି ତାଙ୍କୁ ମିଳିଛି ସଜା। ଏହି ଆତ୍ମଘୋଷିତ ଗଡ୍ ମ୍ୟାନ୍‌ଙ୍କ ଆଶ୍ରମ ଦୁଇ ବଖରା ଘରୁ ଆରମ୍ଭ ହୋଇଥିଲା। ଆଜି ସେ ୧୦ ହଜାର କୋଟିରୁ ଅଧିକ କଳଙ୍କମୟ ସମ୍ପତ୍ତିର ମାଲିକ। ତାଙ୍କ ମାଲିକାନାରେ ସାରା ବିଶ୍ୱରେ ରହିଛି ୪୦୦ରୁ ଅଧିକ ଆଶ୍ରମ। ବାବାଙ୍କ ଅନୁଗାମୀ ତାଲିକାରେ ୪ କୋଟିରୁ ଅଧିକ ଲୋକ ଅଛନ୍ତି।

ପ୍ରତିଦିନ ଶହ ଶହ ଲୋକଙ୍କୁ ପ୍ରବଚନ ଦେଇ ନିଜ ଜାଲରେ ବାନ୍ଧି ରଖୁଥିଲେ ଆଶାରାମ। ବିରାଟ ସଭା କରି ନିଜ ଅନୁଗାମୀଙ୍କ ସହ ଖେଳୁଥିଲେ ଧର୍ମ ଓ ଆସ୍ଥାର ଖେଳ। ଗୁଜରାଟ ଅହମ୍ମଦାବାଦ୍ ନିକଟ ସାବରମତି ନଦୀ କୂଳରେ ମାତ୍ର ଦୁଇ ବଖରା ଘରେ ତିଆରି ହୋଇଥିବା ଆଶାରମଙ୍କ ଆଶ୍ରମ ଏବେ ଶହ ଶହ ଏକର ଜମିକୁ ପରିବ୍ୟାପ୍ତ ହୋଇଛି।

ଆଶ୍ରମରେ ରହିଛି ସମସ୍ତ ସୌଖୀନ ବ୍ୟବସ୍ଥା। ଏକ ପଞ୍ଚ ତାରକା ହୋଟେଲ୍‌ ପରି ବିଳାସବ୍ୟସନର ସମସ୍ତ ଉପକରଣ ଆଶ୍ରମରେ ଉପଲବ୍ଧ ରହିଛି। ଅମୃତସର, ଆଗ୍ରା, ଇଟାୱା, ହାପୁର, ମିରଟ, ଗାଜିଆବାଦ୍ ସହ ୭୩ଟି ସହରରେ ରହିଛି ଆଶାରାମଙ୍କ ସମ୍ପତ୍ତି।

୧୯୯୦ ମସିହାରୁ ୨୦୦୦ ମସିହା ମଧ୍ୟରେ ଆଶାରାମ ଥିଲେ ଦେଶର ସବୁଠୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ସେଇଥି ପାଇଁ ତ ଆଶାରାମଙ୍କ ନିକଟରେ ନେତା, ମନ୍ତ୍ରୀଙ୍କଠୁ ଆରମ୍ଭ କରି ପ୍ରଶାସକ ଏବଂ କଳାକାର ଯାଏ ସମସ୍ତଙ୍କ ଭିଡ଼ ଜମୁଥିଲା। କଂଗ୍ରେସ, ବିଜେପି ସମେତ ଅନ୍ୟ ଦଳର ବହୁ ନେତା ଆଶାରାମଙ୍କ ଦର୍ଶନ ପାଇଁ ଦୌଡ଼ି ଆସୁଥିଲେ।

କିନ୍ତୁ ଚୋର ଘର ସବୁଦିନ ଅନ୍ଧାର ରାତି ନଥିବା ଭଳି ଆଶାରାମଙ୍କ ପାଇଁ ସବୁବେଳେ ମାହେନ୍ଦ୍ର ବେଳା ନ ଥିଲା। ଧୀରେ ଧୀରେ ତାଙ୍କ କଳଙ୍କର କଳା ସାମ୍ରାଜ୍ୟର ପର୍ଦ୍ଦାଫାସ୍ ହେଲା। ଆଶାରାମଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ତିଆରି ହେଲା। ୨୦୦୮ମସିହାରେ ଗୁଜରାଟର ମୋଟେରରେ ଥିବା ତାଙ୍କ ଆଶ୍ରମରେ ଦୁଇ ଶିଶୁଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଥିଲା। ଏହାପରେ ସୁରତର ଦୁଇ ଜଣ ଭଉଣୀଙ୍କୁ ଦୁଷ୍କର୍ମ ଏବଂ ଅପହରଣ ଅଭିଯୋଗ ବି ଆସିଲା। ମାମଲାରେ ଶୁଣାଣି କରୁଥିବା ଜଜ୍‌ଙ୍କୁ ଧମକ ମିଳିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା।

କେବଳ ଦୁଷ୍କର୍ମ ଓ ହତ୍ୟା ମାମଲା ନୁହେଁ ଆଶାରାମଙ୍କ ଉପରେ ରହିଛି ହଜାର ହଜାର ଏକର ଜମି ହଡ଼ପ ଅଭିଯୋଗ। ଜୋର ଜବରଦସ୍ତ ଭାବେ ଜମି ଅକ୍ତିଆର କରିଥିବା ଅଭିଯୋଗରେ ଦେଶର ବିଭିନ୍ନ କୋର୍ଟରେ ଆଶାରାମଙ୍କ ବିରୋଧରେ ଏଯାଏଁ ମାମଲା ଚାଲୁଛି।

 

ଆହୁରି ପଢ଼ନ୍ତୁ

You might also like