ଜାମୁ କୋଳି ଦେବା ପାଇଁ ନାବାଳିକାକୁ ଘରକୁ ନେଇଥିଲା, ହତ୍ୟା ପରେ ଦୁଷ୍କର୍ମ କରିଥିଲା
ପ୍ରେସ ମିଟ୍ରେ ନାବାଳିକା ହତ୍ୟାର ବିସ୍ତୃତ ବିବରଣୀ ଦେଲେ SIT ମୁଖ୍ୟ ଅରୁଣ ବୋଥ୍ରା
ଭୁବନେଶ୍ୱର: ‘ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା ସରୋଜ। ଘର ଭିତରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା। ପରେ ତାକୁ ହତ୍ୟା କରି ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା।’ ନୟାଗଡ଼ ଜିଲ୍ଲା ଯଦୁପୁର ନାବାଳିକା ନିଖୋଜ ଓ ହତ୍ୟା ଘଟଣାର ଏମିତି ବିସ୍ତୃତ ବିବରଣୀ ଆଜି ପ୍ରେସ ମିଟ୍ରେ ଦେଇଛନ୍ତି SIT ମୁଖ୍ୟ ଅରୁଣ ବୋଥ୍ରା।
ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରୋଜ ସେଠୀ ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି ବୋଥ୍ରା। ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ଗତକାଲି ପୋସ୍କୋ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଆଜି ରିମାଣ୍ଡରେ ନିଆଯାଇଛି । ଏହି ଘଟଣାରେ ଆଉ କିଏ ସଂପୃକ୍ତ ତାହାର ତଦନ୍ତ କରାଯିବ। ୩ ଦିନିଆ ରିମାଣ୍ଡରେ ଜେରା ପରେ ଆହୁରି ଅନେକ ଘଟଣା ପଦାକୁ ଆସିବ। ନାବାଳିକାର ଶବ ଯେଉଁ ପୋଖରୀରେ ପଡିଥିଲା ତାହା ଶୁଖାଯାଉଛି। ସେଠାରୁ କିଛି ତଥ୍ୟ ମିଳିବା ଆଶା କରାଯାଉଛି ବୋଲି କହିଥିଲେ ବୋଥ୍ରା।
ନାବାଳିକା ହତ୍ୟା ଘଟଣାର ପୁରା ବିବରଣୀ ଦେଇ ତାଙ୍କ ୨୨ ବର୍ଷ ଚାକିରୀରେ ଏହା ବିଭତ୍ସ ଘଟଣା ବୋଲି ବୋଥ୍ରା କହିଥିଲେ। ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ମିଳିନାହାନ୍ତି। ବର୍ତ୍ତମାନ ତଦନ୍ତ ପ୍ରାଥମିକ ସ୍ତରରେ ରହିଛି। ତଦନ୍ତରେ ସରୋଜର ଭୂମିକା ଥିବା ସ୍ପଷ୍ଟ ହୋଇଛି। ସରୋଜ ନିଜ ଭୁଲ ପୋଲିସରେ ସ୍ୱୀକାର କରି କହିଛି।
ସେ କହିଥିଲେ, ନାବାଳିକାଙ୍କ ଘର ପାଖରେ ସରୋଜର ଘର। ସରୋଜର ବଡ ଭଉଣୀ ଓ ମା’ ଚାକିରୀ କରିଛନ୍ତି । ସରୋଜ ସାନ ଭଉଣୀ ବିବାହିତ ଏବଂ ନାବାଳିକା ସହ ତା’ର ଭଲ ସମ୍ପର୍କ ଥିଲା। ତେଣୁ ନାବାଳିକା ତାଙ୍କ ଘରକୁ ନିୟମିତ ଯାଏ। ସରୋଜ ଘର ପାଖରେ ଜାମୁ କୋଳି ଗଛ ଅଛି। ୧୪ ତାରିଖ ନାବାଳିକା ନିଖୋଜ ହୋଇଥିଲା। ହେଲେ ୧୩ ତାରିଖ ସେ ସରୋଜଙ୍କ ଘରକୁ କୋଳି ଖାଇବାକୁ ଯାଇଥିଲା।
ଘଟଣା ଦିନ ନାବାଳିକା ଆସି ନାହିଁ ବୋଲି ସରୋଜ ପୂର୍ବରୁ କହୁଥିଲା। କିନ୍ତୁ ଏବେ ସେ ଘଟଣାଦିନ ତାଙ୍କ ଘରକୁ ଯାଇଥିବା ସରୋଜ ମାନିଛି। ସରୋଜ କହିବା ଅନୁଯାୟୀ, ସବୁଦିନ ଅନ୍ୟପିଲାଙ୍କ ସହ ମୃତ ନାବାଳିକା ତାଙ୍କ ଘରକୁ କୋଳି ଖାଇବାକୁ ଯାଏ। କିନ୍ତୁ ସେଦିନ ସେ ଏକା ଯାଇଥିଲା। ଘଟଣାଦିନ ସରୋଜର ମା’ ଓ ଭଉଣୀ ଚାକିରୀକୁ ଯାଇଥିଲେ। ସରୋଜ ଘରେ ଏକା ଥିଲା। ସକାଳ ପ୍ରାୟ ୧୦ଟା ୩୦ରେ ନାବାଳିକା ଆସି କୋଳି ମାଗିଥିଲା। ସରୋଜ ତାକୁ ଘରକୁ ଡାକି ବାଡିପଟ ପଛ ଘରକୁ ନେଇଥିଲା। ସେଠାରେ ତା’ର ପୋଷାକ ଖୋଲିବାକୁ ଚେଷ୍ଟା କରିବାରୁ ନାବାଳିକା କାନ୍ଦିଥିଲା। ତାକୁ ଚୁପ୍ କରିବାକୁ ଯାଇ ତା’ର ତଣ୍ଟି ଚିପି ଦେଇଥିଲା ସରୋଜ। ନାବିଳିକା ମରିଯିବା ପରେ ସରୋଜ ତା’ ସହ ଦୁଷ୍କର୍ମ କରିଥିଲା ବୋଲି ସେ କହିଛନ୍ତି। ଝିଅର ଫ୍ରକ୍ରେ ସିମେନ ଚିହ୍ନ ଥିବା ବୋଥ୍ରା କହିଛନ୍ତି।
ନାବାଳିକା ମରିଯିବା ପରେ ତାର ମୃତ ଦେହ ସହ ସେ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରିଥିବା ନିଜେ ସରୋଜ ସ୍ୱୀକାର କରିଛି ବୋଲି ବୋଥ୍ରା କହିଛନ୍ତି। ଏପରି କାହିଁକି କରିଲା ବୋଲି ପଚାରିବାରୁ ପର୍ଣ୍ଣ ଭିଡିଓରେ ଏପରି ହେଉଥିବା ଦେଖି ସେ କରିଥିବା ପୋଲିସ ଆଗରେ ସରୋଗ ସ୍ୱୀକାର କରିଛି।
ପରେ ସରୋଜ ଭୟଭୀତ ହୋଇ ଏକ ଝୋଟ ଅଖାରେ ନାବାଳିକାର ଶବକୁ ଭର୍ତ୍ତି କରିଥିଲା। ଶବର ମୁଣ୍ଡ ତଳକୁ ଥିଲା ଓ ଦେହରେ ପୋଷାକ ନ ଥିଲା। ନାବାଳିକା ପିନ୍ଧିଥିବା ଫ୍ରକ୍ ବ୍ୟାଗ ଭିତରେ ରଖି ଦେଇଥିଲା। ପରେ ଅଖାକୁ ଏକ ତାରରେ ବାନ୍ଧି ଘଣ ପଛପଟେ ୨୫-୩୦ ମିଟର ଦୂର ପୋଖରୀ ନିକଟ ବୁଦା ଭିତରେ ଲୁଚାଇ ଦେଇଥିଲା। ପରେ କିଛି ଘରୁ କିଛି ନଡିଆ ବାହୁଙ୍ଗା ନେଇ ସେଠାରେ ଘୋଡ଼ାଇ ଦେଇଥିଲା । ହେଲେ ପରେ ନାବାଳିକାର ଲେଗିନ୍ସ ଘରେ ରହି ଯାଇଥିବାରୁ ତାକୁ ନେଇ ପୋଖରୀରେ ଫିଙ୍ଗି ଦେଇଥିଲା।
ଆହୁରି ମଧ୍ୟ ପଢନ୍ତୁ
“ପରୀ ଘଟଣାକୁ ନେଇ ରାଜନୀତି କରୁଛନ୍ତି ବିଜେପି ଓ କଂଗ୍ରେସ”
ଅଶ୍ଳୀଳ ଫିଲ୍ମ ଦେଖି ଏପରି କରିଥିବା ସରୋଜ ସ୍ୱୀକାର କରିଛି। ସରୋଜ ନିଜ ଭଉଣୀର ମୋବାଇଲ ବ୍ୟବହାର କରୁଥିଲା। ଏପରିକି ଅଶ୍ଳୀଳ ଫିଲ୍ମ ଭଉଣୀ ମୋବାଇଲ୍ରେ ଡାଉନଲୋଡ କରିଥିଲା। ୧୩ ତାରିଖ ରାତି ସାରା ସେ ଏହି ଅଶ୍ଳୀଳ ଭିଡିଓ ଦେଖିଥିଲା। ଏହି ମୋବାଇଲରୁ ଅନେକ ପ୍ରମାଣ ମିଳିଥିବା ବୋଥ୍ରା କହିଛନ୍ତି।
୨୩ ଜୁଲାଇରେ ଶବ ମିଳିଥିଲା। ସେତେବେଳେ ନାବାଳିକା ଶରୀରରେ ଲେଗିନ୍ସ ନ ଥିଲା। ଏହି କଥା କେହି ନଜରକୁ ଆଣି ନ ଥିଲେ ବୋଲି ବୋଥ୍ରା କହିଥିଲେ।
ନାବାଳିକ ହତ୍ୟା ଘଟଣାରେ ସରୋଜଙ୍କର ସମ୍ପୃକ୍ତି ନେଇ ପୋଲିସ କେମିତି ସନ୍ଦେହ କଲା ବୋଲି ବୋଥ୍ରାଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ। ଏହାର ଉତ୍ତରରେ ବୋଥ୍ରା କହିଥିଲେ , ସରୋଜ ସେଦିନ ଏକା ଘରେ ଥିଲା। ତା ସହ ସରୋଜ ମୋବାଇଲରୁ ମଧ୍ୟ ବଡ଼ ସୁରାକ ମିଳିଥିଲା ଅରୁଣ ବୋଥ୍ରା କହିଛନ୍ତି।