ଜେଲ୍‌ର ଟଏଲେଟ୍‌ ଭିତରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମୁଖ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡର ମୁଖ୍ୟ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜେଲ୍‌ରେ ଥିବା ଟଏଲେଟ୍‌ ଭିତରେ ବେକରେ ଇନଭର୍ଟର ତାର ଗୁଡ଼ାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।

ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୧୫ରେ ଜେଲ୍‌ ଭିତରେ ଥିବା ୱେଲ୍‌ଫେୟାର ଅଫିସକୁ କୌଣସି କାମ ପାଇଁ ପ୍ରଦୀପ ଯାଇଥିଲେ।  ସେହି ସମୟରେ ଅଫିସ ପିଅନ୍ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ୱେଲ୍‌ଫେୟାର ଅଫିସ ଟଏଲେଟ୍‌ ଭିତରେ ପଶି ଭିତରୁ ପଟୁ ସେ କବାଟ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ଜାଣି ପାରିବା ପରେ କବାଟ ଭାଙ୍ଗି ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି। ପ୍ରଦୀପଙ୍କୁ SCB ମାନସିକ ରୋଗ ବିଭାଗକୁ ପଠାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ମିଶାଇ ପ୍ରଦୀପ ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି। ପୂର୍ବରୁ ମଧ୍ୟ ପ୍ରଦୀପ ଜେଲ୍‌ ମଧ୍ୟରେ ଥରେ ହାତକାଟି ଏବଂ ଆଉଥରେ ମୁଣ୍ଡ ଫଟାଇବା ସହ ଅଧିକ ମାତ୍ରାରେ ମେଡିସିନ୍ ଖାଇ ଦେଇଥିଲେ। ପ୍ରଦୀପ ଏବେ ଜେଲର ୬ ନମ୍ବର ୱାର୍ଡରେ ରହୁଛନ୍ତି।

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ପ୍ରଦୀପଙ୍କୁ ୭ ବର୍ଷ ଜେଲ୍‌ ସଜା ହୋଇଛି। ଅନ୍ୟପକ୍ଷରେ ପ୍ରଦୀପଙ୍କ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ନେଇ ଜେଲ୍‌ର ସୁରକ୍ଷା ବଢାଇ ଦିଆଯାଇଛି।

ଜେଲ୍‌ରେ ଥାଇ ସେ(ପ୍ରଦୀପ) ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ଜେଲ୍‌ରେ ଥିବା ଅନ୍ୟ କଏଦୀଙ୍କ ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

You might also like