ଭୁବନେଶ୍ୱର: ରାଜ୍ୟରେ ପ୍ରକୃତରେ କରୋନା ମୃତ୍ୟ ସଂଖ୍ୟା କେତେ? ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି, ଆଜି ଯାଏଁ ୩, ୩୦୨ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବିହାର ସମେତ କିଛି ରାଜ୍ୟରେ ମୃତ୍ୟୁ ସଂଖ୍ୟା ସଂଶୋଧନ ହେବାପରେ ଓଡିଶାରେ ବାସ୍ତବରେ ସଂଖ୍ୟା କେତେ ତାକୁ ନେଇ ପ୍ରଶ୍ନ ଉଠୁଛି। ସରକାରୀ ମୃତ୍ୟୁ ସଂଖ୍ୟା ତୁଳନାରେ ପ୍ରକୃତ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ଅଧିକ ବୋଲି କୁହଯାଉଛି କାରଣ କରୋନା ପିକ୍ ସମୟରେ ରାଜ୍ୟର ବିଭିନ୍ନ ମଶାଣିରେ ଜୁଇ ଲିଭୁନଥିଲା।

ଏବେ ସଂକ୍ରମଣ ହାର ଖସୁଥିବା ବେଳେ ଜୁନ୍‌ରେ କିନ୍ତୁ ଦୈନିକ ମୃତ୍ୟୁ ସଂଖ୍ୟା ୪୦ ଉପରେ ରହୁଛି। ଜୁନ୍ ମାସରେ ଏପର୍ଯ୍ୟନ୍ତ କୋଭିଡ୍‌ରେ ୫୪୮ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡରୁ ସୂଚନା ମିଳିଛି। ତେବେ ମୃତ୍ୟୁ ସଂଖ୍ୟା ଅଧିକ ରହିବା ଉପରେ ଡିଏମ୍ଇଟି କହିଛନ୍ତି। ତିନିଟି ସ୍ତରରେ କରୋନାଜନିତ ମୃତ୍ୟୁର ଅଡିଟ୍ କରାଯାଉଛି। ନିର୍ଦ୍ଦିଷ୍ଟ ଭାବେ କରୋନାରେ ମୃତ୍ୟୁ ହୋଇଥିବା ପ୍ରମାଣିତ ହେଲା ପରେ ସେହି ତଥ୍ୟ ପ୍ରକାଶ କରାଯାଉଛି। ଏବେ ଯେଉଁ ୪୦ ପ୍ଳସ୍ ଟ୍ରେଣ୍ଡ୍ ଜାରି ରହିଛି। ତାହା ଆଜି କିମ୍ବା ଗତକାଲିର ନୁହେଁ ଅଡିଟ୍ ହେଲା ପରେ ପୂର୍ବର ତଥ୍ୟ ବୋଲି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ଏବେ ବି ରାଜ୍ୟରେ ପ୍ରାୟ ୮ ଶହ ସନ୍ଦିଗ୍ଧ କରୋନାଜନିତ ମୃତ୍ୟୁ ଅଡିଟ୍ ଅପେକ୍ଷାରେ ଥିବା ଜଣାପଡ଼ିଛି। କୌଣସି ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାପରେ ପ୍ରଥମେ ଚିକିତ୍ସିତ ହେଉଥିବା ପ୍ରତିଷ୍ଠାନ, ପରେ ଜିଲ୍ଲା ଓ ଶେଷରେ ରାଜ୍ୟସ୍ତରରେ ତାର ଅଡିଟ୍ ହୋଇଥାଏ।

ଅନ୍ୟପକ୍ଷରେ କରୋନା ମୃତ୍ୟୁ ଅଡିଟ୍‌କୁ ତ୍ୱରାନ୍ୱିତ କରିବାକୁ ଗତ ମେ ୨୭ରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ ମହପାତ୍ର ସବୁ ଜିଲ୍ଲାପାଳ, ସିଡିଏମ୍ଓ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଥିଲେ। କରୋନା କିମ୍ବା ସନ୍ଦିଗ୍ଧ କରୋନା ରୋଗୀର ସମସ୍ତ ମେଡିକାଲ ରେକର୍ଡ ଯାଞ୍ଚ କରି ଜିଲ୍ଲାସ୍ତରୀୟ କମିଟି ପ୍ରତିଦିନ କିମ୍ବା ଦିନେ ଛା଼ଡ଼ି ଦିନେ ରିପୋର୍ଟ ଦେବାକୁ କୁହାଯାଇଥିଲା ଯଦ୍ୱାରା ୪୮ ଘଣ୍ଟା ଭିତରେ ତାର ସମୀକ୍ଷା କରାଯାଇପାରିବ।

ନିକଟରେ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିହାର ସରକାର କୋଭିଡ୍ ମୃତ୍ୟୁ ସଂଖ୍ୟା ଅଡିଟ୍ କରିବା ପରେ ସେଠାରେ ୩, ୯୫୧ଟି ନୂଆ ମୃତ୍ୟୁ ମାମଲା ଯୋଡ଼ା ଯାଇଥିଲା। ସେହିପରି ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ସଂଶୋଧନ କରାଯାଇଛି। ଅଡିଟ୍ ପରେ କୋଭିଡ୍ ମୃତ୍ୟୁ ତାଲିକାରେ ଆଉ ୮ ହଜାର ୮୦୦ ଜଣଙ୍କୁ ସାମିଲ୍ କରାଯାଇଛି। ଦିଲ୍ଲୀ ଏମ୍ଏସ୍ ନିର୍ଦ୍ଦେଶକ ଡର ରଣଦୀପ ଗୁଲେରିଆ ମଧ୍ୟ କରୋନା ମୃତ୍ୟୁ ସଂଖ୍ୟା ନଲୁଚାଇ, ସଠିକ୍ ଅଡିଟ୍ କରିବାକୁ ପରାମର୍ଶ ଦେଇଥିଲେ।

ରିପୋର୍ଟ: ଦେବାଶିଷ ମହାନ୍ତି ଓ ହରିହର ଚାନ୍ଦ

 

Other Stories