ୟୁଟ୍ୟୁବରଙ୍କ ନାଁରେ ୫୦୦ କୋଟି ଟଙ୍କାର ମାନହାନୀ ମୋକଦ୍ଦମା କଲେ ଅକ୍ଷୟ

ମୁମ୍ବାଇ: ଜଣେ ୟୁଟ୍ୟୁବରଙ୍କ ନାଁରେ ୫ ଶହ କୋଟି ଟଙ୍କାର ମାନହାନୀ ନୋଟିସ୍‌ ଜାରି କରିଛନ୍ତି ବଲିଉଡ୍‌ର ଖିଲାଡି ଷ୍ଟାର ଅକ୍ଷୟ କୁମାର। ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲାରେ ତାଙ୍କ ବିରୋଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ନେଇ ବିହାରର ୟୁଟ୍ୟୁବର ରସିଦ୍ ସିଦ୍ଦିକିଙ୍କ ନିକଟକୁ ଏହି ନୋଟିସ୍ ପଠାଇଛନ୍ତି ଅକ୍ଷୟ କୁମାର।

ଅକ୍ଷୟଙ୍କ ବିରୋଧରେ ମିଛ କହିବା, ତାଙ୍କ ଛବିକୁ ମଳିନ କରିବା ଅଭିଯୋଗରେ ଏହି ନୋଟିସ୍ ପଠାଯାଇଛି।

ରସିଦ୍‌ ଜଣେ ସିଭିଲ୍‌‌ ଇଞ୍ଜିନିୟର ଓ ୟୁଟ୍ୟୁବ୍‌ରେ ତାଙ୍କର FF  ନ୍ୟୁଜ୍‌ ଚ୍ୟାନେଲ୍‌ ଅଛି। ‌ସେ ତାଙ୍କ ଚ୍ୟାନେଲ୍‌ରେ ଏକ ଭିଡିଓ ପ୍ରସାରିତ କରିଥିଲେ। ଯେଉଁଥିରେ ସେ ଅଭିଯୋଗ ଆଣି କହିଥିଲେ, ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ପରେ ରିୟା ଚକ୍ରବର୍ତ୍ତୀଙ୍କୁ ଅକ୍ଷୟ ସାହାଯ୍ୟ କରିଥିଲେ। ଏପରିକି ରିୟାଙ୍କୁ କାନାଡ଼ା ଫେରାର ହେବାରେ ଅକ୍ଷୟ ତାଙ୍କୁ ସାହାଯ୍ୟ କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, ଏଥିପାଇଁ ଅକ୍ଷୟ, ଆଦିତ୍ୟ ଠାକ୍‌ରେଙ୍କ ସହ ସିକ୍ରେଟ୍‌ ମିଟିଂ ମଧ୍ୟ କରିଥିଲେ।

ଏସବୁ ଘଟଣା ସାମ୍ନାକୁ ଆସିବା ପରେ ନଭେମ୍ବର ୧୭ରେ ଅକ୍ଷୟ ଲ’ ଫାର୍ମ ଆଇସି ଲିଗାଲ ଜରିଆରେ ରସିଦଙ୍କ ପାଖକୁ ୫୦୦ କୋଟି ଟଙ୍କାର ମାନହାନୀ ନୋଟିସ ପଠାଇଛନ୍ତି। ଏଥିସହ ରସିଦ ତାଙ୍କୁ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ଅକ୍ଷୟ କହିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସ୍‌ ରସିଦ୍‌ଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣାରେ ଯଦିଓ ତାଙ୍କୁ ଆଗୁଆ ଜାମିନ ମିଳି ସାରିଛି, ତେବେ ତଦନ୍ତ ସମୟରେ ବାନ୍ଦ୍ରା ପୋଲିସ୍‌କୁ ସହଯୋଗ କରିବା ପାଇଁ ତାଙ୍କୁ କୁହାଯାଇଛି।

Mid Dayରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ, ରସିଦ୍ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ମିଥ୍ୟା ଖବର ପ୍ରସାରଣ କରି ୪ ମାସ ଭିତରେ ୧୫ ଲକ୍ଷ ଟଙ୍କା ରୋଜଗାର କରି ସାରିଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ରସିଦ୍‌ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଅନେକ ମିଥ୍ୟା ଖବର ପ୍ରସାରଣ କରି ପୁଳାପୁଳା ଟଙ୍କା ରୋଜଗାର କରୁଥିଲେ।

You might also like