କରୋନା ମୁକାବିଲା ପାଇଁ ବିଦେଶରୁ ଛୁଟିଲା ସହାୟତାର ସୁଅ

ନୂଆଦିଲ୍ଲୀ: କରୋନାର ଦ୍ଵିତୀୟ ଲହରରେ ଥରି ଉଠିଛି ସାରା ଭାରତ । ଏହି ସମୟରେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେ କେତେ ଦୁର୍ବଳ ତାହା ସାମ୍ନାକୁ ଆସିଛି । କେଉଁଠି ଅକ୍ସିଜେନ ସିଲିଣ୍ଡର ମିଳୁନି ତ କେଉଁଠି ହସ୍ପିଟାଲରେ ବେଡ଼ ମିଳୁନି । ପରିସ୍ଥିତିକୁ ସମ୍ଭାଳିବା ଏବେ ଦେଶ ପାଇଁ ମୁସ୍କିଲ ହୋଇଯାଇଛି । ତେବେ ଆମ ପାଇଁ ଏହା ଆଶ୍ୱସ୍ତିର କଥା ଯେ, ଭାରତର ଏଇ କଷ୍ଟକର ସମୟରେ ବିଭିନ୍ନ ଦେଶରୁ ସହାୟତାର ସୁଅ ଛୁଟୁଛି ।

କରୋନାର ମୁକାବିଲା ଲାଗି ବିଦେଶରୁ ୬ ହଜାର ୭୩୮ଟି ଅକ୍ସିଜେନ୍ କନସେନଟ୍ରେଟର, ୩ ହଜାର ୮୫୬ଟି ଅକ୍ସିଜେନ୍ ସିଲିଣ୍ଡର, ୧୬ଟି ଅକ୍ସିଜେନ ଉତ୍ପାଦନ ପ୍ଲାଣ୍ଟ ଆସି ପହଂଚିଛି । ଏହାସହ ୪ ହଜାର ୬୬୮ଟି ଭେଣ୍ଟିଲେଟର ଓ ପ୍ରାୟ ୩ ଲକ୍ଷ ରେମଡେସିବିର ଇଂଜେକସନ ଆସି ପହଂଚିଛି । ଏପ୍ରିଲ ୨୭ରୁ ମେ ୮ ଭିତରେ ଏ ସବୁ ଆସିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି ।

ଏସବୁ ବ୍ୟତୀତ ଗତକାଲି କେତେକ ଦେଶରୁ ସହାୟତା ଆସି ପହଞ୍ଚିଛି । ଗତକାଲି ଦକ୍ଷିଣ କୋରିଆରୁ ମେଡିକାଲ ଉପକରଣ ଆଣି ଗୋଟିଏ ବିମାନ ଭାରତରେ ପହଞ୍ଚିଛି । ଏହାଦ୍ୱାରା ଭାରତରେ କୋଭିଡ୍-୧୯ ମୁକାବିଲାରେ ସହଜ ହେବ ବୋଲି ଦକ୍ଷିଣ କୋରିଆର ରାଷ୍ଟ୍ରଦୂତ ସିନନ୍ ବଙ୍ଗ କି କହିଛନ୍ତି ।

ସେପଟେ ଇସ୍ରାଏଲରୁ ମଧ୍ୟ ମେଡିକାଲ ସାମଗ୍ରୀ ଧରି ଗୋଟିଏ ବିମାନ ଦିଲ୍ଲୀରେ ପହଞ୍ଚିଛି । ଗତବର୍ଷ କରୋନା ମହାମାରୀବେଳେ ଭାରତ ଯେଉଁ ସହାୟତା ଦେଇଥିଲା, ତାହା କେବେ ଭୁଲି ହେବ ନାହିଁ ବୋଲି ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରନ୍ ମାଲକା କହିଛନ୍ତି ।ସେହିପରି ଇଣ୍ଡୋନେସିଆର ଜାକର୍ତ୍ତାରୁ ଅକ୍ସିଜେନ୍ କଣ୍ଟେନର ଧରି ଗୋଟିିଏ ବିମାନ ବିଶାଖାପାଟମାରେ ପହଞ୍ଚିଛି ।

ଅନ୍ୟପକ୍ଷେ ଏହି ବିଦେଶୀ ସହାୟତାକୁ ଦେଖି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଦିନ ପୁଣିଥରେ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି । କେନ୍ଦ୍ର ଠିକ ସମୟରେ ଠିକ କାମ କରିନାହିଁ ବୋଲି ଅଭିଯୋଗ କରିବା ସହ କହିଛନ୍ତି ଭାରତ ସରକାର ବିଦେଶୀ ସହାୟତା ପାଇଁ ଯେପରି ବାରମ୍ବାର ଛାତି ପିଟୁଛନ୍ତି ଏହା ଅତ୍ୟନ୍ତ ଦୟନୀୟ ଅଟେ ବୋଲି କହିଛନ୍ତି । ସୂଚନାଠାଉ କି, ଭାରତରେ କରୋନା ସ୍ଥିତିକୁ ଦେଖି ରାହୁଲ ଗାନ୍ଧୀ ପୂର୍ଣ୍ଣ ଲକଡଉନ ପାଇଁ ଦାବି କରିଥିଲେ ।

 

You might also like