ଫୋନିକୁ ବିତିଲା ଅଢ଼େଇ ମାସ ; ଏଯାଏ ମିଳିଲାନି ସହାୟତା

ଭଙ୍ଗାଘରେ ଜୀବନ କାଟୁଛନ୍ତି ବିପନ୍ନ

ପୁରୀ: ବାତ୍ୟା ଫୋନିର ଅଢ଼େଇ ମାସ ବିତିଗଲାଣି ତଥାପି କମିନି ଦୁର୍ଦ୍ଦଶା, ବଦଳିନି ପ୍ରଭାବିତ ଅଞ୍ଚଳଗୁଡ଼ିକର ଦୃଶ୍ୟ। ଆମେ ଆଜି ଆପଣଙ୍କୁ କହୁଛୁ ପୁରୀ ଜିଲ୍ଲା ବ୍ରହ୍ମଗିରିର ଭୁବନପୁର ଭୋଇ ସାହିର କଥା।  ଏଠାରେ ୬୦ଟି ପରିବାରର ଘର ଭାଙ୍ଗି ଯାଇଛି। ଉଜୁଡ଼ା ଘର ସଜାଡ଼ିବାକୁ ଅର୍ଥାଭାବ ଥିବାରୁ ବାରଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ବିପନ୍ନ। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କୁ ଘରଭଙ୍ଗା ସହାୟତା ମିଳିନାହିଁ।

ଘର ଉପରେ ପଲିଥିନ ଖଣ୍ଡେ ପକାଇ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ଏଠାକାର ଲୋକେ। ସେଇ ଛୋଟିଆ ଚାଳିଆରେ ରୋଷେଇ, ଖିଆପିଆ ଓ ପିଲାଙ୍କ ପାଠପଢ଼ା ସବୁ କିଛି ଚାଲିଛି। କେତେ ବେଳେ ଟାଣ ଖରା ତ ଆଉ କେତେବେଳେ ଅଦିନିଆ ବର୍ଷା ଦାଉ ସାଧୁଛି ତାଙ୍କ ଉପରେ।
ଘରଭଙ୍ଗା ଟଙ୍କା ମିଳିଲେ ଭଙ୍ଗା ଘରକୁ ସଜାଡ଼ିବେ ବୋଲି ଆଶା ରଖିଥିଲେ ବିପନ୍ନ। ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ସରକାରୀ ସହାୟତା ବି ମିଳିବାର ନାଁ ଧରୁନି। ଆଉ କେତେ ଦିନ ପର ଦୁଆରେ ମୁଣ୍ଡ ଗୁଞ୍ଜିବେ ସେଇ ଚିନ୍ତାରେ ଆଖିରୁ ନିଦ ହଜିଛି। ସେପଟେ ଚଳିତମାସ ଶେଷ ସୁଧା ସମସ୍ତ ବିପନ୍ନଙ୍କୁ ଟଙ୍କା ପ୍ରଦାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।

You might also like