ପ୍ରେମ ପାଇଁ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହାଣିଦେଲେ !
କଣ୍ଟାବାଞ୍ଜି: ଟ୍ରେନ୍ ଲାଇନ୍ରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୁକୁଡ଼ାହାଡ଼ ଗାଁ ନିକଟ ଟ୍ରେନ୍ ଲାଇନ୍ରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ଘର କଣ୍ଟାବାଞ୍ଜି ୧୧ନଂ ଓ୍ୱାର୍ଡ ରାମନଗରପଡ଼ା ଗାଁରେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ସକାଳେ ଜିଆରପି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା। ଯୁବକଙ୍କ ମୁଣ୍ଡ ଓ ଗୋଡ଼ ଅଲଗା ହୋଇଯାଇଥିବା ବେଳେ ହାତ ପାପୁଲି ଛିଣ୍ଡି ହୋଇ ଅନ୍ୟ ଏକ ସ୍ଥାନରେ ପଡ଼ିଥିବା ଦେଖିବାକୁ ମିଳିଛି। ଏହାସହ ରେଳ ଧାରଣାରେ ଏକ ଜୋତା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି।
ଘଟଣା ସ୍ଥଳରେ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ସମ୍ପୃକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ଅନ୍ୟପକ୍ଷରେ, ପ୍ରେମ ବ୍ୟାପାର ପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।