ହଠାତ୍ ମହାନଦୀକୁ ଡେଇଁ ପଡ଼ିଲେ ନବବିବାହିତା; ପାଣିରେ ଭାସୁଥିଲେ, ତା’ ପରେ…
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର କୁମ୍ଭାରପଡ଼ା ନିକଟ ମହାନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କୁ ୨ଜଣ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ଗତକାଲି ସନ୍ଧ୍ୟାରେ ସ୍ୱାମୀଙ୍କ ସହ ମହାନଦୀ ସେତୁକୁ ବୁଲିବାକୁ ଆସି ଥିବାବେଳେ ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ। ମହିଳା ଜଣକ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁଲିହାକାନୀ ଗାଁର ମୀରା ସେଠୀ ବୋଲି ଜଣାପଡ଼ିଛି।
ମୀରା ନଦୀରେ ଭାସି ଭାସି ଯାଉଥିବା ବେଳେ ଲଙ୍କେଶ୍ୱର ଘାଟତଳ କୁମ୍ଭାରପଡ଼ାରୁ ୨ଜଣ ମତ୍ସ୍ୟଜୀବୀ ତାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ସ୍ଥାନୀୟ ଅଗ୍ନିଶମବାହିନୀ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୀରାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।
ଗତ ମେ’ ୨୫ରେ ମୀରା ସୋନପୁର ବ୍ଲକ୍ ଅନ୍ତର୍ଗତ ଜନମୁରା ଗାଁର ନିତ୍ୟାନନ୍ଦ ସେଠୀଙ୍କୁ ବିବାହ କରିଥିଲେ। ତେବେ କାହିଁକି ସେ ମହାନଦୀକୁ ଡେଇଁଲେ ତାର କାରଣ ଅସ୍ପଷ୍ଟ ରହିଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।