” ଆଗାମୀ ୫ରୁ ୭ ଦିନ ଗୁରୁତ୍ୱପୂର୍ଣ୍ଣ “

ନୂଆଦିଲ୍ଲୀ: କରୋନାକୁ ନେଇ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି, ‘ଏହାକୁ ମୁକାବିଲା କରିବା ଲାଗି ଅନେକ ପ୍ରକାର ଟେଷ୍ଟିଂ ଚାଲିଛି। ଏଥିରେ ପ୍ଲାଜମା ଥେରାପି ମଧ୍ୟ ଅଛି। ଏହି ଥେରାପିର ପ୍ରୟୋଗ ଅନେକ ରୋଗକୁ ଭଲ କରିବା କ୍ଷେତ୍ରରେ ହୋଇଥାଏ। ଏଥିରେ ଇବୋଲା ମଧ୍ୟ ସାମିଲ। ଏହି ଥେରାପି ପ୍ରୟୋଗ କରିବାର କାରଣ ଆପଣମାନେ ଏହା ବୁଝନ୍ତୁ ଯେ, ଯଦି କେହି କରୋନା ସଂକ୍ରମିତ ସୁସ୍ଥ ହେଉଛନ୍ତି, ତା’ହେଲେ ସେ ତାଙ୍କ ଶରୀରରେ ଥିବା ଆଣ୍ଟିବଡି କାରଣରୁ ସୁସ୍ଥ ହୋଇଛନ୍ତି। ଆଣ୍ଟିବଡି ଏହି ଭାଇରସକୁ ମାତ ଦେବାରେ ସଫଳ ହୋଇଛି। ଏହା ଅର୍ଥ ସମ୍ପୃକ୍ତ କରୋନା ଆକ୍ରାନ୍ତଙ୍କ ଶରୀରରେ ଆଣ୍ଟିବଡି ଅଛି। ଯଦି ଉକ୍ତ କରୋନା ସଂକ୍ରମିତ ବ୍ୟକ୍ତି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯାଆନ୍ତି ଆମେ ତାଙ୍କର ପ୍ଲାଜମା ନେଇ ଅନ୍ୟ ଆକ୍ରାନ୍ତଙ୍କୁ ସୁସ୍ଥ କରିବା କ୍ଷେତ୍ରରେ ପ୍ରୟୋଗ କରିପାରିବୁ।

ସେ ଆହୁରି କହିଛନ୍ତି, ‘ଯଦି ଏଭଳି ଟେକନିକକୁ ବ୍ୟବହାର କରିବୁ, ତେବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବ। ହେଲେ କିଛି ହଟସ୍ପଟ ରହିପାରେ। ଏସବୁ ଜିନିଷ କିଭଳି ଭାବରେ କାର୍ଯ୍ୟ କରିବ ତାହା ଆଗାମୀ ୫ରୁ ୭ ଦିନ ମଧ୍ୟରେ ଏହା ଜଣାପଡ଼ିବ। କିଛି ଦିନ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା ପୂର୍ବ ତୁଳନାରେ କମିଛି। ଯଦି ଆଗାମୀ ୫ରୁ ୭ ଦିନ ଏଭଳି ସ୍ଥିତି ରହିବ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିବାରେ ଦେଶ କିଛି ମାତ୍ରାରେ ସଫଳ ହୋଇପାରିବ’।

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦୭ରେ ପହଞ୍ଚି ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ହଜାର ୯୭୪ରେ ପହଞ୍ଚିଛି ବର୍ତ୍ତମାନ ସୁଦ୍ଧା ଦେଶରେ ୨ ହଜାର ୨୩୧ ଜଣ ଆରୋଗ୍ୟ ଲାଭ କଲେଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

You might also like