ଟ୍ରକ୍ ଭିତରୁ ମିଳିଲା ହେଲ୍ପର୍ଙ୍କ ମୃତଦେହ
ପାରାଦୀପ: ଟ୍ରକ୍ ଭିତରୁ ମିଳିଲା ହେଲ୍ପର୍ଙ୍କ ରକ୍ତାକ୍ତ ମୃତଦେହ। ପାରାଦୀପ ବୃନ୍ଦାବନ କଲୋନୀ ମୁଣ୍ଡାପଡ଼ା ବସ୍ତି ନିକଟରେ ରଖାଯାଇଥିବା ଏକ ଟ୍ରକ୍ ଭିତରୁ ଜଣେ ହେଲ୍ପର୍ଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମୃତ ହେଲ୍ପର୍ କେନ୍ଦ୍ରାପଡା ଜିଲ୍ଲାର ବାବୁଲି ସିଂ ବୋଲି ଜଣାପଡ଼ିଛି।
ଖବରପାଇ ପାରାଦୀପ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ଏହାସହ ଗାଡ଼ିର ଡ୍ରାଇଭରଙ୍କୁ ହେପାଜତକୁ ନେଇଛି ପୋଲିସ୍।
ବାବୁଲିଙ୍କୁ ଟ୍ରକ୍ ଡ୍ରାଇଭର ହତ୍ୟା କରିଥିବା ନେଇ ତାଙ୍କ ବାପା ଅଭିଯୋଗ ଆଣିଛନ୍ତି। ପୂର୍ବରୁ ଜମିବାଡ଼ିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ଏହି କାରଣ ଯୋଗୁ ସେ ବାବୁଲିଙ୍କୁ ହତ୍ୟା କରିଛନ୍ତି ବୋଲି ବାବୁଲିଙ୍କ ବାପା ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି।
ପ୍ରକୃତରେ କେଉଁ କାରଣ ପାଇଁ ହେଲ୍ପର୍ଙ୍କୁ ହତ୍ୟା କରାଗଲା ? କିଏ ଏହି ହତ୍ୟା କଲା ? ବାବୁଲିଙ୍କ ବାପା ଆଣିଥିବା ଅଭିଯୋଗରେ କେତେ ସତ୍ୟତା ଅଛି , ଏସବୁକୁ ନେଇ ପୋଲିସ୍ ଛାନ୍ଭିନ୍ କରିବ ବୋଲି ସୂଚନା ମିଳିଛି।